କନକ ବ୍ୟୁରୋ: ଖଣି ବିଭାଗକୁ ଖୋଳ କରିଦେଇଛନ୍ତି ଧରଣୀଧର ନାୟକ । ଏହି ସରକାରୀବାବୁଙ୍କ ୨ ଦିନର ଖୋଳତାଡ ବେଳେ ସମ୍ପତ୍ତିର ତାଲିକା ଦେଖି ଭିଜିଲାନ୍ସ ବି ତାଜୁବ ହୋଇଛି । କେଉଁଠୁ ଆସିଲା ଏତେ ଟଙ୍କା? ଏହି କଳାଧନ କୁବେରଙ୍କ ପଛରେ ଆଉ କିଏ ଅଛି? ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଧରଣୀଧର ନାୟକ। ଏ ନାୟକ ନୁହଁନ୍ତି ଖଳନାୟକ। ଟଙ୍କା କମାଇବାର ସଉକ ଏତେ ଥିଲା ଯେ, ସବୁ ସୀମା ସରହଦ ପାର କରି ଯାଇଥିଲେ ଧରଣୀଧର। ଖଣି ବିଭାଗରେ ରହି ଖୋଳ କରିଦେଇଛନ୍ତି ଏହି କରିତକର୍ମା ଅଫିସର। ଆୟଠୁ ୫୦୦% ଅଧିକ ସମ୍ପତ୍ତିର ଅଧିକାରୀ ଏହି କୁବେର ବାବୁ। ୟାଙ୍କ ସମ୍ପତ୍ତି ଉଭା ଯେତିକି ପୋତା ସେତିକି।ଭିଜିଲାନ୍ସ ଖୋଳିତାଡି ବାହାର କରିଥିବା ସମ୍ପତ୍ତିର ତାଲିକା ଉପରେ ଥରେ ନଜର ପକାନ୍ତୁ। 

-    ଭୁବନେଶ୍ବରରେ କୋଟିଏ ୩୦ ଲକ୍ଷର ଫ୍ଲାଟ
-    ୧୮୦୦ ସ୍କୋୟାରଫୁଟର ବିଳାସମୟ ଡୁପ୍ଲେକ୍ସ, ୨ଟି ବହୁତଳ କୋଠା 
-    ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ
-    ୧୧ ପ୍ଲଟ ସହ ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା
-    ବାବୁଙ୍କ ଘର ସଜାରେ ଖର୍ଚ୍ଚ ହୋଇଛି ୫୪ ଲକ୍ଷ
-    ଘରୁ ବାହାରିଛି ନଗଦ ୯ ଲକ୍ଷ ୮୫ ହଜାର ଟଙ୍କା

ତାସହ ଚାରିଚକିଆ ଯାନବାହନ ସହ କେତେ କଣ? ମାତ୍ର ୪୮ ଘଣ୍ଟାର ତନାଘନା ପରେ ଠାବ ହୋଇଛି ଏତିକି ସମ୍ପତ୍ତି।
ଏହି ୩୭ ବର୍ଷୀୟ ଖଣି ଅଧିକାରୀ ମାତ୍ର ୧୦ ବର୍ଷ ଚାକିରି କାଳ ଭିତରେ କୋଟି କୋଟି ଟଙ୍କାର ସମ୍ପତ୍ତି କେମିତି ଅର୍ଜିଲେ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।

-    ଧରଣୀଧରଙ୍କ ପାଖକୁ କେଉଁଠୁ ଆସିଲା କୋଟି କୋଟି ଟଙ୍କା?
-    କାହା ଟଙ୍କାର ପାହାଡ ଉପରେ ବସିଥିଲେ ଧରଣୀଧର?
-    ଧରଣୀଧରଙ୍କୁ ଅସତ୍ ଉପାୟରେ ଟଙ୍କା କମାଇବାକୁ କିଏ ଦେଉଥିଲା ସାହସ?

କେବଳ ଧରଣୀଧର ନା ଖଣି ବିଭାଗକୁ ଖୋଳ କରୁଛନ୍ତି ଆଉ କେଉଁ ଅଫିସର? ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ    ।