କନକ ବ୍ୟୁରୋ: ମାଲ୍ ଖାଇ ମାଲାମାଲ ସରକାରୀ ବାବୁ। ଟଙ୍କା ଖାଇ ଟିଙ୍କ ଭଳି ଫୁଲି ଗଲେଣି। ଦୁର୍ନୀତିର ପାହାଡ଼ରେ ଛିଡ଼ା ହୋଇଥିବା ଏହି ଲାଞ୍ଚୁଆ ଅଫିସରଙ୍କୁ ଝାଳବୁହା ଜେରା ପରେ, ସାମ୍ନାକୁ ଆସିଛି ବାବୁଙ୍କ ଉଭାପୋତା ସମ୍ପତ୍ତିର ହିସାବ। ଘରେ ଥିବା ସୁନା ଗହଣା ଦେଖିଲେ ଲାଗୁଛି ଯେମିତି ରତ୍ନଭଣ୍ଡାର । 

Advertisment

ସୁବାସ ପଣ୍ଡା। ଓଡିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନର ଡିଜିଏମ୍ । ଏହି ସରକାରୀ ଚାକିରିଆ ଜଣକ ଦିଅଁ ଖାଇ ଖଟୁଲି ଖାଇବା ଅଭିଯୋଗ ପରେ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ସୁବାସଙ୍କ ଘରେ ଚଢ଼ାଉ କରିଛି । ଘର ଭିତରେ ଭିଜିଲାନ୍ସ ପଶିବା ଦେଖି, ସୁବାସ ୧୦ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇ ଫେରାର ହେବା ବେଳେ ମାଡି ବସିଥିଲା ଭିଜିଲାନ୍ସ । 

କେବଳ ଏତିକି ନୁହେଁ, ଏହି କୋଟିପତି କୁବେରଙ୍କ କାରନାମା ବେଶ ସାଙ୍ଘାତିକ ଓ ସଙ୍ଗୀନ। ୧ କୋଟି ୨୧ ଲକ୍ଷର ଏକ ଜମିକୁ ନିଜ ପତ୍ନୀଙ୍କୁ ବିକ୍ରି କରିଥିବାର ଦସ୍ତାବିଜ ବି ଭିଜିଲାନ୍ସ ହାତରେ ଲାଗିଛି। ଏହାଛଡା କୋଟିଏ ଟଙ୍କାର କ୍ୟାସ୍ ଡିପୋଜିଟ, କେଜିଏ ସୁନା ଗହଣା, ଭୁବନେଶ୍ୱର ଆଇଗିଣିଆଠାରେ ଥିବା ୪ହଜାର ବର୍ଗଫୁଟର ତିନି ମହଲା ବିଲ୍ଡିଂ, ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆଠାରେ ଥିବା ଦୁଇ ମହଲା ଘର ଠାବ ହୋଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧୩ ଲକ୍ଷ ଟଙ୍କା ସହ ବେନାମୀ କାର ଜବତ ହୋଇଛି ।

ସେପଟେ ଢେଙ୍କାନାଳ କାମାକ୍ଷାନଗର ସବ୍- କଲେକ୍ଟର ନାରାୟଣ ନାୟକଙ୍କ ଘରେ ରେଡ୍ ବେଳେ ମିଳିଛି ଆଖି ଝଲସାଇ ଦେଲାଭଳି ସୁନା ଗହଣା । କେବଳ ଭୁବନେଶ୍ୱରରେ ରହିଛି ୧୩ଟି ମୂଲ୍ୟବାନ ପ୍ଲଟ୍, ଅଢେଇ ଶହ ଗ୍ରାମ ସୁନା, ଝାରପଡ଼ାରେ ୪୮୦୦ ବର୍ଗଫୁଟର ତିନି ମହଲା ଅଟ୍ଟାଳିକା, ଭଦ୍ରକରେ ୬୯୦୦ ବର୍ଗଫୁଟର ତିନି ମହଲା ଅଟ୍ଟାଳିକା, ୬୨୦୦ ବର୍ଗଫୁଟରର ଦୁଇ ମହଲା ଅଟ୍ଟାଳିକା ଅଛି । ଏବେବି ଖୋଳତାଡ ଜାରି ରହିଛି ।