କନକ ବ୍ୟୁରୋ : ଅପରାଧିକ ମାମଲା ଥିଲେ ବି ମିଳିବ ପାସପୋର୍ଟ । ପାସପୋର୍ଟ ପ୍ରଦାନକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ଜଣେ ବ୍ୟକ୍ତିଙ୍କ ବିରୋଧରେ କେବଳ ମାତ୍ର ଅପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ତାଙ୍କ ପାସପୋର୍ଟ ଅବରୋଧ ବା ବାଜ୍ୟାପ୍ତି କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଅପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି ନେଇ ପାସପୋର୍ଟ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନରେ କୌଣସି କଟକଣା ନାହିଁ । ପାସପୋର୍ଟ ଆଇନର ଧାରା ୧୦(୩)ରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ, ଇଚ୍ଛାଧୀନ । ଏଭଳି ସ୍ଥିତିରେ ପାସପୋର୍ଟ ବାଜ୍ୟାପ୍ତି ନେଇ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଆବେଦନକାରୀଙ୍କ ସପକ୍ଷରେ ପାସପୋର୍ଟ ଦୁଇ ସପ୍ତାହ ଭିତରେ ପୁନଃସ୍ଥାପିତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.କେ.ସିପାନିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କୁ ପୁଲିସ ଯାଞ୍ଚ ରିପୋର୍ଟ ପରେ ପାସପୋର୍ଟ ପ୍ରଦାନ କରାଯାଇଥିଲା । ତାଙ୍କ ପାସପୋର୍ଟ ୨୦୨୯ ପର୍ୟ୍ୟନ୍ତ ବୈଧ ଥିଲା । ପରବର୍ତ୍ତୀ ସମୟରେ ପୁଲିସ ଆବେଦନକାରୀଙ୍କ ବିରୋଧରେ ଏକ ପ୍ରତିକୂଳ ରିପୋର୍ଟ ଦାଖଲ କରିଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଆବେଦନକାରୀଙ୍କ ବିରୋଧରେ ୨୦୧୦ରେ ଜଗତସିଂହପୁର ମେରାଇନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଛି । ଏହାପରେ ଆବେଦନକାରୀଙ୍କୁ ୨୦୨୦ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଯାହା ବିରୋଧରେ ହାଇକୋର୍ଟ ଯାଇଥଲେ ଆବଦେନକାରୀ ।