କନକ ବ୍ୟୁରୋ : ପରାଧିନ ଭାରତ ମାତାକୁ ଗୋରା ସରକାରଙ୍କ କବଳରୁ ମୁକୁଳିବା ପାଇଁ ଶତାବ୍ଦୀର ସମୟ ଲାଗିଗଲା କିନ୍ତୁ ସ୍ବାଧୀନତାର ସ୍ବାଦ ଚାଖୁ ଚାଖୁ ଅନେକ ଜୀବନ ବଳିଦାନର ସାମ୍ନା କଲା । ଇତିହାସର ପୃଷ୍ଠା ଯଦି ଓଲଟାଇବା ପଞ୍ଜାବର ଅମୃତସରରେ ଥିବା ଜାଲିଆନାୱାଲା ବାଗ୍ ଏହାର ଏକ ଜ୍ବଳନ୍ତ ଉଦାହରଣ । ଯେଉଁଠି ପିଲା,ମହିଳା,ବୃଦ୍ଧ ହୋଇ ହଜାରେରୁ ଅଧିକ ଲୋକ ଜେନେରାଲ୍ ଡାଏରଙ୍କ କ୍ରୋଧର ଅଗ୍ନିରେ ଜୀବନ ହାରିଥିଲେ । ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ଘଟିଥିବା ଏହି ହୃଦୟବିଦାରକ ଦୃଶ୍ୟ ଆଜି ବି ମନେ ପକାଇଲେ ଦେହ ଶିହରି ଉଠୁଛି । ଶହେ ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ସେଦିନ କେତେ ଜଣ ଲୋକ ସହିଦ ହୋଇଥିଲେ ତାହାର ଏଯାଏଁ କିଛି ରିପୋର୍ଟ ମିଳିପାରୁନି । ଜାଲିଆନାୱାଲା ବାଗ୍ କାନ୍ଥରେ ବାଜିଥିବା ଗୁଳି ହିଁ କହୁଛି ବୈଶାଖୀ ଉତ୍ସବ ପାଳୁ ପାଳୁ କେମିତି ହସଖୁସିର ପରିବେଶକୁ ନିମିଷକରେ ଚିତ୍କାରରେ ବଦଳାଇ ଦେଇଥିଲେ ଇଂରେଜ ସରକାରଙ୍କ ଗୋରା ସାହେବ ଜେନେରାଲ୍ ଡାଏର । 

Advertisment
Jalaianwala-bagh-massacre
Jalaianwala-bagh-massacre Photograph: (google)

ତେବେ ଖାଲି ପଞ୍ଜାବ ନୁହେଁ ଓଡ଼ିଶା ମଧ୍ୟ ଏଭଳି ଏକ କ୍ରୁରତାର ସାମ୍ନା କରିଥିଲା । ଯାହାକୁ ରକ୍ତତୀର୍ଥ , ତ୍ୟାଗଭୂମି ଏବଂ ଦ୍ବିତୀୟ ଜାଲିଆନାୱାଲା ବାଗ୍ ବୋଲି ମଧ୍ୟ କୁହାଯାଏ । ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ୧୬ କି.ମି ଦୂରରେ ଏହି ତ୍ୟାଗଭୁମି ଅବସ୍ଥିତ । ଯାହାକୁ କୁହାଯାଏ ଇରମ । ଏହି ସ୍ଥାନର ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ, ଅନ୍ୟ ଦୁଇପାର୍ଶ୍ୱରେ ଗମେଇଁ ଓ କାଂସବାଂଶ ନଦୀ ରହିଛି । ପ୍ରାକୃତିକ ସୁରକ୍ଷା କବଚ ମଧ୍ୟରେ ଥିବାରୁ ଏହା ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିଲା । ପ୍ରାକୃତିକ ପ୍ରାଚୀର ଥିବା ଦୃଷ୍ଟିରୁ ପୁଲିସ କିମ୍ୱା ପ୍ରାଶାସନିକ ଅଧିକାରୀ ସହଜରେ ଏହି ଅଞ୍ଚଳରେ ପ୍ରବେଶ କରିପାରୁନଥିଲେ । ସେଠାରେ ଏକ ଖୋଲା ପଡ଼ିଆ ଥିଲା ଯାହା ୩ ଦିଗରୁ ଅବରୁଦ୍ଧ ଥିବା ବେଳେ ଗୋଟିଏ ଦିଗରେ ରାସ୍ତା ଥିଲା । ସ୍ୱ।ଧିନତା ସଂଗ୍ରାମୀମାନେ ଏହି ସ୍ଥାନରେ ସାଧାରଣସଭା କରୁଥିଲେ । ୧୯୨୦ରୁ ଆରମ୍ଭକରି ଏହି ପଡ଼ିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରସାର କରିଆସୁଥିଲେ ।

“ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡ଼ିଆରେ ଅନେକ ଜାତୀୟତାବାଦୀ ସଭା ସମିତି ଆୟୋଜିତ ହୋଇଥିଲା । ବିଦେଶୀ ଇଂରେଜ ଶାସନ ବିରୋଧରେ ବିଷୋଦଗାର ସ୍ୱରୁପ ୨୮ ସେପ୍ଟମ୍ୱର ୧୯୪୨ ରେ ଏକ ବିରାଟ ଜନସଭା ଆୟୋଜିତ ହୋଇଥିଲା । ଏଥିରେ ଭୟଭିତ ହୋଇ ବାସୁଦେବପୁର ପୁଲିସ୍ ଥାନାରୁ ଡି.ଏସ.ପି କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଫୌଜଦଳ ଇରମ ଅଭିମୁଖେ ମାଡ଼ି ଚାଲିଲେ । ଜାଲିଆନାୱାଲାବାଗ ପରି ଏଠାରେ ଡି.ଏସ.ପିଙ୍କ ଆଦେଶରେ ସନ୍ଧ୍ୟା ୬.୩୦ରେ ଶାନ୍ତିପୁର୍ଣ୍ଣ ଜନସଭା ଉପରେ ଫୌଜ ଆକ୍ରମଣ କଲେ । ଯେହେତୁ ତିନିଦିଗରୁ ପଡ଼ିଆଟି ଆବଦ୍ଧ ଥିଲା ତେଣୁ କେହି ବାହାରକୁ ଖସି ଯାଇପାରିଲେ ନାହିଁ । ଦେଖୁ ଦେଖୁ କେଇ ମିନିଟି ମଧ୍ୟରେ ୨୯ ଜଣ ଟଳିପଡିଲେ ଓ ୫୬ ଜଣ ଆହତ ହେଲେ । ଏହି ୨୯ ଜଣ ମୃତକଙ୍କ ମଧ୍ୟରେ ଥିବା ପରିବେୱା ହେଉଛନ୍ତି ଓଡିଶାର ଏକମାତ୍ର ମହିଳା ସହିଦ । ଏତେ ସଂଖ୍ୟକ ସହିଦଙ୍କ ମୃତ୍ୟୁର ସ୍ମୃତିଚାରଣ ନିମନ୍ତେ ଏହାକୁ ଦ୍ବିତୀୟ ଜାଲିଆନାୱାଲାବାଗ ବୋଲି କୁହାଯାଏ । ବାସ୍ତବରେ ଏହାର ନାମ ରକ୍ତତୀର୍ଥ ।