କନକ ବ୍ୟୁରୋ: ସ୍ୱାଧୀନତାର ୭୭ ବର୍ଷ ବିତିଛି । ହେଲେ ରାଜ୍ୟର ସବୁ ଗାଁକୁ ଭଲ ରାସ୍ତାଟିଏ ନାହିଁ । ଗମନାଗମନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏଥିପାଇଁ ବିଭିନ୍ନ ଯୋଜନାରେ ଆସୁଛି କୋଟି କୋଟି ଟଙ୍କା । ଖର୍ଚ୍ଚ ହେଉଛି, କିନ୍ତୁ ତାହା କେବଳ କାଗଜ କଲମରେ । ଦୁର୍ନୀତିର ଲମ୍ବା ଚେର ରାସ୍ତାର ଅବସ୍ଥାକୁ ଅତି ଦୟନୀୟ କରିଛି ।  ଏବେ ବି ଲୋକଙ୍କୁ କାଦୁଅ ରାସ୍ତାରୁ ମୁକ୍ତି ନାହିଁ ।

Advertisment

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । କାଦୁଅ ପଚପଚ ଓଡ଼ିଶାର ଗାଁ ଓ ସହର ରାସ୍ତା । କୋରାପୁଟରୁ କେନ୍ଦୁଝର, କଳାହାଣ୍ଡିରୁ ଯାଜପୁର । ବର୍ଷା ହେଲେ ଗାଁରୁ ବାହାରିବା ମୁସ୍କିଲ । ଏକାଧିକ ଗାଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ । କେଉଁଠି ରାସ୍ତା ଉପରେ ଲହଡ଼ି ମାରୁଛି ପାଣି । ଦୁର୍ଦ୍ଦଶା ପଛର ଏ ଦୃଶ୍ୟରୁ  ଦୁର୍ନୀତିର ଗନ୍ଧ ବାରିଛନ୍ତି ଲୋକେ । ଏ ହେଉଛି କୋରାପୁଟ ବୈପାରୀଗୁଡ଼ାର କୋଟିଏ ଟଙ୍କାର ରାସ୍ତା । ମାସେ ତଳେ ନିର୍ମାଣ ହେଇଥିବା ଏହି ରାସ୍ତା ଅସରାଏ ବର୍ଷା ବି ସହିପାରିଲାନି । ସେହିଭଳି କଳାହାଣ୍ଡି ଜୟପାଟଣା ସହର ଠାରୁ କେଇ କିଲୋମିଟର ଦୂରରେ ଥିବା ଇନ୍ଦ୍ରାବତୀ ବିସ୍ଥାପିତଙ୍କ ପାଇଁ ପକ୍କା ରାସ୍ତା ସାତ ସପନ ।  

୬ ବର୍ଷ ତଳେ ହାଟଡିହିରେ ନିର୍ମାଣ ହୋଇଥିବା ରାସ୍ତା ଏବେ ଅସ୍ତିତ୍ବ ଖୋଜୁଛି । ପିଚୁ ପାଲଟିଯାଇଛି ମାଟି । ଯାଜପୁରରେ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ମାସେ ପୂର୍ବରୁ ପୂର୍ତ୍ତ ବିଭାଗ ନିର୍ମାଣ କରିଥିବା ବରୀ ବିଦ୍ରୁପା ରାସ୍ତା ଏବେ ଫାଟିକି ଆଁ କଲାଣି । ଖବର ପ୍ରସାରଣ ପରେ ବି ଶୁଣିବାକୁ କେହି ନାହିଁ । ଅନ୍ୟପଟେ ନୂଆପଡ଼ା ବାଦି ପଞ୍ଚାୟତବାସୀଙ୍କ ପାଇଁ କାଦୁଅ ପଙ୍କ ରାସ୍ତା ପାଲଟିଛି ଅଭିଶାପ । 

କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଭୋଗୁଛନ୍ତି ଜନତା । ସରକାର ବଦଳିଛି କିନ୍ତୁ ବଦଳିନି ଗ୍ରାମାଞ୍ଚଳ ରାସ୍ତାର ଚିତ୍ର । ଲୋକଙ୍କ ସରକାର ବୋଲାଉଥିବା ସରକାରଙ୍କ ଆଖି କେବେ ଖୋଲିବ ? ପକ୍କା ରାସ୍ତା ସହ ପ୍ରତି ଗାଁ କେବେ ଯୋଡ଼ିହେବ ?