କନକ ବ୍ୟୁରୋ: କୃଷିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । କେମିତି ଚାଷୀର ବିକାଶ ହେବ ସେ ନେଇ ନିଇତି ନୂଆ ନୂଆ ଯୋଜନା କରାଯାଉଛି । ଯାହାର ଭରପୂର ଫାଇଦା ଉଠାଉଛନ୍ତି ଚାଷୀ । ପୂର୍ବରୁ ଆମ୍ବ, କାଜୁ, ଅମୃତଭଣ୍ଡା ସହ ଖୋଦ୍‌ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବଗିଚାରୁ ଫଳ ବିଦେଶ ରପ୍ତାନୀ ହୋଇଥିଲା । ଏବେ ପୁଣି ଥରେ ଓଡ଼ିଆଙ୍କର ଅତିପ୍ରିୟ ସଜନା ଛୁଇଁ ଓ ପୋଟଳ ବିଦେଶକୁ ରପ୍ତାନୀ ହେଉଥିବା କଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି।  

Advertisment

ଦୁବାଇ ଚାଖିୃବ ଓଡ଼ିଶା ପୋଟଳ ଓ ସଜନା ଛୁଇଁ
ବିଦେଶୀଙ୍କ ପ୍ଲେଟ୍‌ରେ ରହୁଛି ଦେଶୀ ପନିପରିବା
ପୂର୍ବରୁ ଯାଇଥିଲା କାଜୁ ଓ ଡ୍ରାଗନ୍‌ ଫଳ
ଏବେ ଗଲା ପୋଟଳ ଓ ସଜନା ଛୁଇଁ

କୃଷିଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ରାଜ୍ୟର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ପ୍ରୋତ୍ସାହନ ଅଭାବରୁ ଅନେକ ସମୟରେ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ହେଲେ ଏମିତି ସମୟରେ ଏବେ ରାଜ୍ୟ ସରକାର କୃଷିକୁ ଗୁରୁତ୍ବ ଦେବା ସହିତ ଚଷାପୁଅର ବିକାଶ ଲାଗି କାମ କରୁଛନ୍ତି । ସେଇଥି ଲାଗି ତ ଏବେ ଓଡ଼ିଶା ମାଟିରେ ଫଳିଥିବା ଫଳ ବିଦେଶ ଯାଉଛି । କେବଳ ଏବେ ଯାଉଛି ତାହା ନୁହେଁ ବରଂ ଆଗାମୀ ଦିନରେ ବି ଯିବ ବୋଲି ସୂଚନା ମିଳିଛି । 

ପୂର୍ବରୁ କେଉଁଠୁ କ’ଣ ଯାଇଥିଲା ? 

ଓଡ଼ିଶାରୁ ଏବେ ପ୍ରଥମଥର କରି ବିଦେଶ ଫଳଗଲା ତାହା ନୁହେଁ ବରଂ ପୂର୍ବରୁ ବି ବିଦେଶ ଯାଇଛି ଓଡ଼ିଶାର ଫଳ ଓ ପନିପରିବା । ଏଇ ଯେମିତି ଢେଙ୍କାନାଳର ସୁଆଦିଆ ଆମ୍ବ ।  ଜିଲ୍ଲାର ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସ୍‌ର ପରିଚାଳନା ପାଇଁ ଢେଙ୍କାନାଳ ଫଳ ଏବଂ ପନିପରିବା ମାର୍କେଟିଂ କମ୍ପାନୀ ଲିମିଟେଡ୍, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ କୋଲ୍ଡ ଚେନ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଏହା ବ୍ୟତୀତ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମିଶନ ଶକ୍ତି ବିଭାଗ ଏବଂ ପ୍ରଫେସନାଲ ଆସିଷ୍ଟାନ୍ସ ଫର୍ ଡେଭେଲପମେଣ୍ଟ ଆକ୍ସନ ମଧ୍ୟରେ ‘ଓଡିଶାରେ କୃଷି ଉତ୍ପାଦନ କ୍ଲଷ୍ଟର୍‌(ଏପିସି) ମାଧ୍ୟମରେ  ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ଜୀବିକା ସୁଦୃଢ଼ୀକରଣ’ ନାମକ ପ୍ରକଳ୍ପର ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ପରେ ପରେ ଢେଙ୍କାନାଳ ଆମ୍ବ ବିଦେଶ ଯିବାର ବାଟ ଫିଟିଥିଲା । 

ଖାଲି ଢେଙ୍କାନାଳର ଆମ୍ବ ତାହା ନୁହେଁ ବରଂ ଭୁବନେଶ୍ବରରୁ ଡ୍ରାଗନ ଫଳ ବି ରପ୍ତାନୀ ହୋଇଥିଲା । ବଲାଙ୍ଗିର ଜିଲାର ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଫାର୍ମରେ ହୋଇଥିବା ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଫଳପ୍ରଦ ହୋଇଛି ଏବଂ ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇ ପଠାଯାଇଛି । ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ । ଡ୍ରାଗନ ଫଳର ଚାହିଦା ବିଦେଶରେ ବହୁତ ଅଧିକ । ଏହି ଡ୍ରାଗନ ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି । ଯାହାଦ୍ୱାରା ଫଳର ପୌଷ୍ଟିକ ତତ୍ତ୍ୱ ଅକ୍ଷୁଣ୍ଣ ରହିବା ସହ ଅନ୍ୟ ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ । ଡ୍ରାଗନ ଫଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକାରୀ । ଏହାର ସେବନ ଦ୍ୱାରା ଶରୀରରେ କ୍ୟାନ୍‌ସର୍‌, ଡାଇବେଟିସ, କୋଷ୍ଠକାଠିନ୍ୟ ଭଳି ବେମାରୀର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ସିଂହଦେଓ କହିଥିଲେ । 

ମୋଟ୍‌ ଉପରେ ବିଦେଶକୁ ଓଡ଼ିଶାର ଗୋଟିଏ ପରେ ଗୋଟିଏ ପରିବା ଓ ଫଳ ଯାଉଥିବାରୁ ସମସ୍ତେ ବେଶ ଖୁସି । ଏବେ ସମୟ କହିବ ଆଗାମୀ ଦିନରେ କେଉଁ ପନିପରିବା କୁଆଡ଼େ ଯାଉଛି ।