କନକ ବ୍ୟୁରୋ: ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଓଡ଼ିଶା ଭିଜନ ପୁସ୍ତକ ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ପାଞ୍ଚ ବର୍ଷରେ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । କେବଳ ପାଞ୍ଚ ବର୍ଷ ପାଇଁ ନୁହେଁ ୨୦୨୩୬ ସୁଦ୍ଧା ଓଡ଼ିଶାକୁ ସଂପୂର୍ଣ୍ଣ ବିକଶିତ ଓଡ଼ିଶା ଭାବେ ଗଢ଼ିବାକୁ ଏଥିରେ ରଣନୀତି ପ୍ରସ୍ତୁତ କରାଯାଇଛି । ସେହିପରି ୨୦୪୭ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ସହ ଦେଶରେ ବିକାଶରେ କର୍ଣ୍ଣଧାର ସାଜିବ ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି ମୋହନ ସରକାର । ସଭାକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ଭିଜନ ଓଡ଼ିଶା ସଂପର୍କରେ କହିଛନ୍ତି, ଓଡ଼ିଶାକୁ ସଂପୂର୍ଣ୍ଣ ବିକଶିତ କରିବା ପାଇଁ ମୋହନ ସରକାର ପୂରା ଶକ୍ତି ଲଗାଇ କାମ କରୁଛନ୍ତି । ଓଡ଼ିଶାର ପ୍ରତିଭାବାନ ଯୁବକଙ୍କୁ ନେଇ ସେହି ସ୍ୱପ୍ନକୁ ଆମେ ସମସ୍ତେ ସଂପୂର୍ଣ୍ଣ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  

Advertisment

ରାଜ୍ୟର ମୋହନ ସରକାରର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶା ଆସି ୧୮ ହଜାର ୭ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶାକୁ ଲାଭ ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ପୂର୍ବ ସରକାର ଓଡ଼ିଶାର ବିକାଶରେ ବାଧକ ଥିଲେ, ଓଡିଶାର ବିକାଶ ପଛକୁ ଯାଉଥିଲା, ଲକ୍ଷଲକ୍ଷ ଗରିବ ପରିବାର ଆୟୁଷ୍ମାନ ଭାରତରୁ ବାଦ ପଡ଼ିଥିଲେ । ହେଲେ ବିକାଶର ଡବଲ ଇଂଜିନ୍‌ ଚାଲିଛି । ଫଳରେ ଓଡ଼ିଶାବାସୀ ଏହାର ଲାଭ ପାଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେଟିବାକୁ ଡାକଥିଲେ, ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶା ଛୁଟିଆସିଛନ୍ତି । ଜି-୨୦ ସମ୍ମିଳନୀ ପରେ ଟ୍ରମ୍ପ ଫୋନ କରିଥିଲେ, କାନାଡ଼ାରୁ ଆମେରିକା ଯିବାକୁ ନିମନ୍ତ୍ରଣ କରିଥିଲେ । ହେଲେ ସେ ଏହାକୁ ଏଡ଼ାଇ ମହାପ୍ରଭୁଙ୍କ ଭୂମିକୁ ଆସିଛନ୍ତି ବୋଲି ମୋଦୀ କହିଛନ୍ତି । ଓଡ଼ିଶାରେ ଆଗକୁ ପେଟ୍ରୋକେମିକାଲ ଶିଳ୍ପ ହେବ । ଫଳରେ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏକ ବର୍ଷର ସଫଳତା ନେଇ ମୋହନ ସରକାରଙ୍କୁ ସାର୍ଟିଫିକେଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ମୋହନ ମାଝୀଙ୍କ ସରକାର ଓଡ଼ିଶାର ବିକାଶକୁ ନୂଆ ଗତି ଦେଇଛନ୍ତି । ଓଡ଼ିଶା ଏବେ ଭାରତ ଆକାଶର ଉଜ୍ଜଳ ତାରା ପାଲଟିଛି । ଏହାସହ ବିଭିନ୍ନ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦୀ ।