କନକ ବ୍ୟୁରୋ : ବିକଶିତ ଭାରତ ପାଇଁ ଓଡ଼ିଶାରେ ଚାଲିଛି ମାନସମନ୍ଥନ । କୋଣାର୍କରେ ୨ ଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ୨୦୪୭ ବିକଶିତ ଭାରତ ପାଇଁ ପ୍ରସ୍ତୁତ ହେଉଛି ରୋଡମ୍ୟାପ । କେନ୍ଦ୍ର ଖଣିମନ୍ତ୍ରୀଙ୍କ ସହ ୧୬ ରାଜ୍ୟର ଖଣିମନ୍ତ୍ରୀ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ପ୍ରାକୃତିକ ସମ୍ପଦର ଉପଯୋଗ ପାଇଁ ପରିବେଶକୁ କ୍ଷତି ନ ପହଞ୍ଚାଇବା ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ରପ୍ତାନୀ ଭିତ୍ତିକ ଖଣି ଉତ୍ତୋଳନ ନ କରି ଆବଶ୍ୟକତା ଅନୁଯାୟୀ ଖଣି ଉତ୍ତୋଳନକୁ ଫୋକସରେ ରଖାଯାଇଛି। ପ୍ରାକୃତିକ ସମ୍ପଦ ପାଇଁ ଓଡ଼ିଶା ରତ୍ନଗର୍ଭା । ଯାହା ବିକଶିତ ଭାରତ ଗଠନରେ ଓଡ଼ିଶାକୁ ମଙ୍ଗୁଆଳର ପରିଚୟ ଦେଇଛି । କିନ୍ତୁ ଅପାର ସମ୍ଭାବନା ଥିବା ଓଡ଼ିଶା ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଯାହା ପାଇବା କଥା ତାହା ପାଇନି ବୋଲି କହି ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଦୀର୍ଘସ୍ଥାୟୀ ଓ ଦାୟିତ୍ୱବୋଧ ଖଣି କାର୍ଯ୍ୟକଳାପ ପାଇଁ ବେଞ୍ଚମାର୍କ ସୃଷ୍ଟି କରି ଖଣି ଶିଳ୍ପରେ ଓଡ଼ିଶା ବିଶ୍ବର ନେତୃତ୍ବ ନେବାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବର ମିଳାଇଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ଜି କିଶନ ରେଡ୍ଡୀ। ଦେଶର ବିକାଶ ପାଇଁ ଖଣି ଶିଳ୍ପର ବିକାଶ କେନ୍ଦ୍ର ସରକାରଙ୍କ ଫୋକସରେ ଥିବା କହିଛନ୍ତି ।
- ଦେଶର ଜିଡ଼ିପିରେ କୋଇଲା ଓ ଖଣିର ଭାଗିଦାରୀ ୨ ଗୁଣା କରିବାକୁ ଲକ୍ଷ୍ୟ
- ୪୪୨ଟି କୋଲ ବ୍ଲକ ନିଲାମ ଜରିଆରେ ରାଜ୍ୟଗୁଡିକୁ ମିଳୁଛି ଅତିରିକ୍ତ ରାଜସ୍ବ
- ଖଣି ଅଞ୍ଚଳବାସୀଙ୍କ ବିକାଶ ପାଇଁ ଡିଏମଏଫ ଟ୍ରଷ୍ଟକୁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ମିଳିଛି
- ଖଣିଜ ସମ୍ପଦ ଦେଶବାସୀଙ୍କ ବିକାଶ କ୍ଷେତ୍ରରେ ବିନିଯୋଗ ହେବା ଉଚିତ୍
- ବେଆଇନ ଖଣି ଉତ୍ତୋଳନରେ ରୋକ ଲଗାଇବାକୁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରିବେ କାର୍ଯ୍ୟ
ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଖଣି ଶିଳ୍ପର ବଡ ଭୂମିକା ରହିଛି। ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଖଣି ଶିଳ୍ପକୁ ଏବେ ଫୋକସରେ ରଖିଛନ୍ତି।