Raid Photograph: (kanak news)
କନକ ବ୍ୟୁରୋ :ବିଡ଼ା ବିଡ଼ା ଖଡ଼ ଖଡ଼ିଆ ନୋଟ । ୧୦୦, ୨୦୦ ରୁ ୫୦୦ ଟଙ୍କିଆ ନୋଟ ଚଟାଣ ଉପରେ ଚକ ଚକ କରୁଛି । ମେସିନ ଲାଗିଛି, ଗଣା ଚାଲିଛି । ମଝିରେ ମଝିରେ ବ୍ୟାଙ୍କ କର୍ମଚାରୀଙ୍କ ମେସିନ ବି ଜାମ ଧରୁଛି । ଗୋଟିଏ ପରେ, ଗୋଟିଏ ଟଙ୍କା ବିଡ଼ା ଗଣା ଚାଲିଛି । ଥାକ ଥାକ କରି ଟ୍ରଲି ବ୍ୟାଗରେ ଖଞ୍ଜା ହୋଇ ରଖା ଯାଉଛି । ଘରର ପ୍ରତିଟି କୋଣରୁ ମିଳୁଛି ପୁଳାପୁଳା ଟଙ୍କା । ଯୁଆଡେ ହାତ ବୁଲାଉଥିଲେ ଭିଜିଲାନ୍ସ ଅଧିକାରୀ ସିଆଡୁ ମିଳୁଥିଲା ଟ୍ରଲି ବ୍ୟାଗ ଭିତରୁ ନଗଦ ଟଙ୍କା । ଦୃଶ୍ୟ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଗଲେ I ଗଣି ଗଣି ହାଲିଆ ବ୍ୟାଙ୍କ ଓ ଭିଜିଲାନ୍ସ କର୍ମଚାରୀ । କୁବେର ଅଫିସରଙ୍କ ଘରୁ ମିଳିଛି ନଗଦ ୪ କୋଟି ୨୭ ଲକ୍ଷ ଟଙ୍କା ଆଉ ସୁନା ଗହଣା । ଯାହା ହେଉଛି ଓଡିଶା ଭିଜିଲାନ୍ସ ଇତିହାସର ସର୍ବାଧିକ ।
୮ହଜାର ଟଙ୍କାରୁ ଚାକିରି , ୨୨ବର୍ଷରେ କୁବେର ଭଳି ସମ୍ପତ୍ତି । ମାଇନିଂ ଅଫିସର ଭାବେ ୨୦୦୪ରୁ କ୍ୟାରିୟର ଆରମ୍ଭ । ବଲାଙ୍ଗୀର, ବାରିପଦା, ବ୍ରହ୍ମପୁର, କଟକ, ଫୁଲବାଣୀରେ ବଡ଼ବଡ଼ ଦାୟିତ୍ବରେ ଥିଲେ। ଡିସେମ୍ବର ୨୦୨୫ରୁ ପୁଣି କଟକରେ ଉପ-ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ଭିଜିଲାନ୍ସ ଲିଷ୍ଟରେ ନାଁ ଚଢାଇ ବଦନାମର ଟୀକା ବି ପିନ୍ଧିଥିଲେ । ତଥାପି ବାବୁଙ୍କ ଲୋଭ ଛାଡ଼ି ନଥିଲା , ଗତକାଲି କୋଇଲା ଭେଣ୍ଡରଙ୍କ ଠାରୁ ୩0 ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ ବାନ୍ଧିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ବାବୁଙ୍କ କଳା ଟଙ୍କାର ପାହାଡ଼ ସାମ୍ନାକୁ ଆସିଥିଲା । ସେପଟେ ଆଇଟି, ଟେକ୍ନିକାଲ ଟିମକୁ ନେଇ କାମ କରୁଛି ଭିଜିଲାନ୍ସ । ଏବେବି ବ୍ୟାଙ୍କ ଲକର୍ ଖୋଲିବା ବାକି ଅଛି , ୧୫ରୁ ଅଧିକ ଆକାଉଣ୍ଟ ମିଳିଛି । ଜୀବନ ବୀମା, ଫିକ୍ସ ଡିପୋଜିଟ୍, ପୋଷ୍ଟାଲ; ଏସବୁର ଖୋଳତାଡ଼ ଜାରି ରହିଛି । ଆବଶ୍ୟକସ୍ଥଳେ ସେଣ୍ଟ୍ରାଲ ଏଜେନ୍ସି ସହ ଯୋଗାଯୋଗ କରିବ ଭିଜିଲାନ୍ସ । ଏହି ଅଫିସରଙ୍କ ଘରେ ଯଦି ଏତେ, ତା’ହେଲେ ବଡ଼ ବଡ଼ ବାବୁଙ୍କ ସମ୍ପତ୍ତି କେତେ? ଦେବବ୍ରତଙ୍କ ସହ ମିଶି କେଉଁ କେଉଁ ଅଧିକାରୀ ନିଜର କଳା ସାମ୍ରାଜ୍ୟ ଗଢ଼ିଛନ୍ତି? ଦେବବ୍ରତଙ୍କୁ ସୁରକ୍ଷା ଦେଉଥିବା ପ୍ରଭାବଶାଳୀଙ୍କ ପାଖରେ କେବେ ପହଞ୍ଚିବ ଭିଜିଲାନ୍ସ ?
Follow Us