କନକ ବ୍ୟୁରୋ : ବଡ଼ ସ୍କୁଲରେ ପାଠ ପଢିବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ବାଧକ ସାଜିଥାଏ ଅର୍ଥ । ଏହି ସମସ୍ୟାକୁ ଦୂର କରିବା ପାଇଁ ୨୦୧୫-୧୬ରେ ଓଡିଶା ସରକାର ଅନ୍ୱେଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କିନ୍ତୁ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ଦେଇନାହାନ୍ତି ଅନୁଦାନ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବନ୍ଦ ହେବା ନେଇ ଦେଖାଦେଇଛି ଆଶଙ୍କା ।
ଘରଠାରୁ ଅନେକ ଦୂରରେ ରହି ପାଠ ପଢିବାକୁ ଆସିଛନ୍ତି ଛାତ୍ରଛାତ୍ରୀ । ପ୍ରତ୍ୟେକ ବର୍ଷ ୫ ହଜାର ଛାତ୍ରଛାତ୍ରୀ ଅନ୍ୱେଷା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଲାଭ କରୁଥିଲେ । କିନ୍ତୁ ଅନ୍ୱେଷା କାର୍ଯ୍ୟକ୍ରମ ବନ୍ଦ ହେବା ନେଇ ଏବେ ଦେଖାଦେଇଛି ଆଶଙ୍କା । ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମ ‘ଅନ୍ୱେଷା’ ମାଧ୍ୟମରେ ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ସହରରେ ରଖି ଇଂରାଜି ମିଡିୟମ ସ୍କୁଲରେ ପାଠ ପଢାଉ ଥିଲେ ସରକାର । ୨୦୧୫-୧୬ ଶିକ୍ଷା ବର୍ଷ ଠାରୁ ରାଜ୍ୟର ୧୭ଟି ଜନଜାତି ବହୁଳ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରି ଥିଲେ ପୂର୍ବତନ ସରକାର । ନାମଲେଖା ପାଇଁ ପ୍ରତି ବର୍ଷ ସରକାର ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଏ । କିନ୍ତୁ ଚଳିତ ଶିକ୍ଷାବର୍ଷରେ ବିଜ୍ଞାପନ ପ୍ରକାଶ ହୋଇନାହିଁ । ଅନ୍ୱେଷା କାର୍ଯ୍ୟକ୍ରମ ପାଇଁ ସରକାର ଅନୁଦାନ ଦେଇନଥିବା ଅଭିଯୋଗ ହେଲାଣି ।
ଅନୁଦାନ ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ । ତେବେ ସମସ୍ୟାର ସମାଧାନ ନହେଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛି ଓଡିଶା ଅଭିଭାବକ ମହାସଂଘ । ଏସମ୍ପର୍କରେ ଆମେ ବିଭାଗୀୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲୁ, କିନ୍ତୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସରକାର ଅନୁଦାନ ଦେଉନଥିବାବେଳେ ଏହି କାର୍ଯ୍ୟକ୍ରମ ଆଗକୁ କିଭଳି କାର୍ଯ୍ୟକାରୀ ହେବେ ସେନେଇ ଉତ୍ତର କାହାରି ପାଖରେ ନାହିଁ ।