Hirakud Dam Photograph: (Kanak News)
କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମର ୫ ଦିନିଆ ଓଡ଼ିଶା ଗସ୍ତ । ହୀରାକୁଦ ଡ୍ୟାମ ଅଶୋକ ନିବାସରେ ଚାଲିଥିବା ଟ୍ରିବ୍ୟୁନାଲର ବୈଠକ ଶେଷ ହୋଇଛି । ଛତିଶଗଡ ଓ ଓଡିଶା ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଡ୍ୟାମ ଓ ମହାନଦୀର ସ୍ଥିତି ନେଇ ଆଲୋଚନା ହୋଇଛି । ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ସମ୍ବଲପୁରରେ ଅଛନ୍ତି । ବୈଠକ ସରିବା ପରେ ଆଜି ପ୍ରଥମେ ହୀରାକୁଦ ଡ୍ୟାମ୍ ଯାଇ ସ୍ଥିତି ପରଖିବେ ।
ଏହାପରେ ବୁର୍ଲା ପାୱାର ହାଉସ୍ ଓ ଚିପିଲିମା ପାୱାର ହାଉସ୍ ଯିବେ । କାଲିଠୁ ୩ ଦିନ ଧରି ପୁରୀ, କୋଣାର୍କ, ସାତପଡ଼ା, ଚିଲିକା, ଲିଙ୍ଗରାଜ ମନ୍ଦିର ଭଳି ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ବୁଲିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଅନେକ ବର୍ଷ ହେଲା ରହିଛି । ଟ୍ରିବ୍ୟୁନାଲରେ ଝୁଲିରହିଛି ମହାନଦୀର ଭାଗ୍ୟ । ଗତ ୮ ବର୍ଷ ହେଲାଣି ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲାଣି । ଆଜି ପର୍ଯ୍ୟନ୍ତ ପ୍ରାୟ ୩୫ ଥରରୁ ଅଧିକ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ସତ୍ତ୍ବେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।
ଅଧିକ ପଢନ୍ତୁ : ୫ ଦିନିଆ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଓଡ଼ିଶା-ଛତିଶଗଡ଼ ଜଳ ବିବାଦର ହେବ କି ସମାଧାନ?
ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଆପୋସ ଆଲୋଚନା ମାଧ୍ୟମରେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ଜଳ ବିବାଦର ସମାଧାନ କରିବେ ବୋଲି ବାରମ୍ବାର ଭରସା ଦେଉଛନ୍ତି । କିନ୍ତୁ ଆଜିଯାଏଁ ସମାଧାନ ହୋଇପାରୁନି । ଖରାଦିନ ନଆସୁଣୁ ମହାନଦୀ ଶୁଖିଲା ପଡ଼ିଛି । ବର୍ଷ ତମାମ ଅଣ ମୌସୁମୀରେ ମହାନଦୀ ଶୁଖିଲା ପଡିବା ଏକ ଚିନ୍ତାର କାରଣ । ଏଭଳି ସ୍ଥିତିରେ ମହାନଦୀ ଟ୍ରିବ୍ୟୁନାଲଙ୍କ ୧୦ ଜଣିଆ ଟିମ୍ର ଓଡିଶା ଗସ୍ତ ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି ।
Follow Us