କନକ ବ୍ୟୁରୋ: ଝାରସୁଗୁଡ଼ାର ମଙ୍ଗଳାବଜାରସ୍ଥିତ ଅଡିଟୋରିୟମ୍‌ ସହ କ୍ରୀଡ଼ା ପ୍ରାଙ୍ଗଣରେ ଆ‌ୟୋଜିତ ଖେଲୋ ଇଣ୍ଡିଆ ଅସ୍ମିତା ପେନ୍‌ଚାକ୍‌ ସିଲାଟ୍‌ ଲିଗ୍‌ରେ ଓଡ଼ିଶା ମହିଳା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ୨୩ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୦ଟି କାଂସ୍ୟ ସହ ମୋଟ ୮୦ ପଦକ ଜିତିଛି । ତା’ ସହିତ ଓଭରଅଲ୍‌ ବିଜେତା ହେବାର ଗୌରବ ଅର୍ଜନ କରିଛି । ନାଗାଲାଣ୍ଡ ଉପବିଜେତା ହୋଇଥିଲା ବେଳେ ଆସାମ ତୃତୀୟ ସ୍ଥାନ ଅଧିକାର କରିଛି । 

Advertisment

ଭାରତୀୟ ପେନ୍‌ଚାକ୍‌ ସିଲାଟ୍‌ ମହାସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଚଳିତ ମାର୍ଚ୍ଚ ୭ ଓ ୮ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା । ଏଥିରେ ପୂର୍ବ ଭାରତର ୧୨ ରାଜ୍ୟରୁ ୬୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । 

ଏହା ବି ପଢ଼ନ୍ତୁ: ବିଶ୍ୱବିଜୟର ୬ ପାହାଚ: ସଂଜୁ ସାମସନ୍‌ଙ୍କ ଚମତ୍କାର, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ

ଉଦ୍‌ଘାଟନୀ ଉତ୍ସବରେ ସୁନ୍ଦରଗଡ଼ ‘ସାଇ’ର ଭାରାପ୍ରାପ୍ତ ଅଧିକାରୀ ଅଭୟ ଦେବ ମୁଖ୍ୟ ଅତିଥି, ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ସାହୁ, ରାକେଶ କୁମାର ଶୁକଦେବ, କିରଣ କଶ୍ୟପ, ଭାରତୀୟ ପେନ୍‌ଚାକ୍‌ ସିଲାଟ ମହାସଂଘର ସଭାପତି ତାରିକ ଅହମଦ ଓ ପ୍ରତିଯୋଗିତା ନିର୍ଦ୍ଦେଶକ ଆଦିଲ ମଜଦୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ସଶସ୍ତ୍ର ପୁଲିସ ଦ୍ବିତୀୟ ବାଟାଲିୟନ, ଝାରସୁଗୁଡ଼ାର କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଅନ୍ୟତମ ଅତିଥି ଥିଲେ ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଲେଙ୍କା । ଓଡ଼ିଶା ପେନ୍‌ଚାକ୍‌ ସିଲାଟ୍‌ ସଂଘର ସଭାପତି ତାପସ କୁମାର ରାୟ ଚୌଧୁରୀ, ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପା , ଭବାନୀ କୁମାରୀ ସାହୁ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିଥିଲେ । ଓଡ଼ିଶା ଦଳର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, କୋଚ୍ ଓ ଦଳ ସଦସ୍ୟମାନଙ୍କୁ ବିଭିନ୍ନ ମହଳରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଯାଇଛି ।