କନକବ୍ୟୁରୋ: ଆଜି ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆଜି ଏହି ଯୋଜନାର ଦ୍ବୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର ।
ଆୟୁଷ୍ମାନ ଯୋଜନା ଶୁଭାରମ୍ଭର ୬ ବର୍ଷ ପରେ ଓଡ଼ିଶା ପାଇବ ଲାଭ। ପୂର୍ବ ସରକାରଙ୍କ ଟାଳଟୁଳ ନୀତି ପାଇଁ ଆୟୁଷ୍ମାନ ପାର୍ଟ-୧ରୁ ବଞ୍ଚିତ ହୋଇଥିଲା ଓଡ଼ିଶା । ଭୋଟବ୍ୟାଙ୍କ ପାଇଁ ବିଏସକେୱାଇକୁ ଆପଣାଇ ଆୟୁଷ୍ମାନକୁ ଅଣଦେଖା କରିଥିଲେ ତତ୍କାଳୀନ ନବୀନ ସରକାର ।
କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଆୟୁଷ୍ମାନ ଲାଗୁ ହେବା ପାଇଁ ବାଟ ଫିଟିଛି। ଏହି ଯୋଜନା ୧ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କ ପାଇଁ ସଞ୍ଜିବନୀ ସାଜିବ । ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି ଖୁବଶୀଘ୍ର ଓଡିଶାରେ ଯୋଜନାକୁ କାର୍ୟ୍ୟାକାରୀ କରିବେ ବିଜେପି ସରକାର । ସେହିପରି ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ ।
ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ୟ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ନୂଆ କାର୍ଡ ଦ୍ବାରା ରାଜ୍ୟରେ ଏକ କୋଟି ପରିବାରକୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୭ ହଜାର ହସ୍ପିଟାଲରେ ଓଡିଆ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ । ରାଜ୍ୟ ବାହାରେ ଦାଦନ ଖଟୁଥିବା ଶ୍ରମିକମାନେ ମଧ୍ୟ ଏହାଦ୍ବାରା ଉପକୃତ ହୋଇପାରିବେ । ଏହାବାଦ୍ ନୂଆ କାର୍ଡରେ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଆୟୁଷ୍ମାନ ପାର୍ଟ-୨ରେ ସାମିଲ କରିବେ ସରକାର।