କନକ ବ୍ୟୁରୋ: ଓଡ଼ିଶାରେ ଖେଳ ହେବ ଟି-୨୦ ଲିଗ୍ । ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ । ଆଇପିଏଲ ଭଳି ଓଡ଼ିଶାରେ ବି ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ । ତେବେ ଏହାକୁ ନେଇ ଖେଳାଳିଙ୍କଠାରୁ ଆରମ୍ଭ କରି ଦର୍ଶକ ସମସ୍ତେ ଉତ୍ସାହ । ଐତିହାସିକ ବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ୱର ୧୭ ତାରିଖରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ ଖେଳାଯିବ । ଓଡ଼ିଶା କ୍ରିକେଟ ଆସୋସିଏସନ ଏହି ଫ୍ରାଞ୍ଚାଇଜ ଭିତ୍ତିକ ଟି-୨୦ ଲିଗ୍ ଆୟୋଜନ କରୁଛି । ତେବେ ଏଥିପାଇଁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଖେଳାଳି କ୍ରୟ ବି ଶେଷ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଲିଗର ବ୍ରାଣ୍ଡ ଆମ୍ୱାସାଡର ଅଷ୍ଟ୍ରେଲିୟ ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲି, ପୂର୍ବତନ ଓଡ଼ିଶା କ୍ରିକେଟର ଦେବାଶିଷ ମହାନ୍ତି ରହିଛନ୍ତି । 

Advertisment

୬ ଦଳକୁ ନେଇ ଓପିଟିଏଲ ଖେଳାଯିବ । ୬ଟି ଦଳ ଓ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା ସରିଛି । ପୁରୀ ଟାଇଟନ୍ସ, ରାଉରକେଲା ଷ୍ଟିଲର୍ସ, ସମ୍ୱଲପୁର ଓ୍ୱାରିୟର୍ସ, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଓଡ଼ିଶାର ବଛା ବଛା ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ପ୍ରତି ଦଳରେ ୧୬ ଜଣ ଖେଳାଳି ରହିଛନ୍ତି । ତେବେ ପୁରୀର ଅଧିନାୟକ ସନ୍ଦୀପ ପଟ୍ଟନାୟକ, ରାଉରକେଲାର ଆଶୀର୍ବାଦ ସ୍ୱାଇଁ, ସମ୍ୱଲପୁରର ଶଭ୍ରାଶୁଂ ସେନାପତି, ଭୁବନେଶ୍ୱରର ସୂର୍ୟ୍ୟକାନ୍ତ ପ୍ରଧାନ, କଟକର ସ୍ୱସ୍ତିକ ସାମଲ, କେନ୍ଦୁଝରର ଗୋବିନ୍ଦ ପୋଦ୍ଦାର । 

ବାରବାଟୀ ଷ୍ଟାଡିୟମ୍‌ରେ ଚଳିତ ମାସ ୧୭ରୁ ୨୬ ତାରିଖ ପର୍ୟ୍ୟନ୍ତ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌) ଖେଳାଯିବ । ଖେଳାଳିଙ୍କୁ ବିଭିନ୍ନ ବର୍ଗ ମରକ୍ୟୁ, ‘ଏ’, ‘ବି’, ‘ସି’ ଓ ‘ଡି’ରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଦଳରେ ସାମିଲ କରିଛନ୍ତି । ମରକ୍ୟୁ ଖେଳାଳିଙ୍କ ମୂଲ୍ୟ ୧,୨୫,୦୦୦ ଟଙ୍କା, ଏ’ ବର୍ଗର ଖେଳାଳିଙ୍କ ମୂଲ୍ୟ ୧,୦୦,୦୦୦ ଟଙ୍କା, ‘ବି’ ବର୍ଗର ଖେଳାଳିଙ୍କ ମୂଲ୍ୟ ୭୫,୦୦୦ ଟଙ୍କା, ‘ସି’ ବର୍ଗର ଖେଳାଳିଙ୍କ ମୂଲ୍ୟ ୫୦,୦୦୦ ଟଙ୍କା, ‘ଡି’ ବର୍ଗର ଖେଳାଳିଙ୍କ ମୂଲ୍ୟ ୪୦,୦୦୦ ଟଙ୍କା ରଖାଯାଇଛି । 

ସେପ୍ଟେମ୍ୱର ୧୭ ତାରିଖରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ପ୍ରତିଦିନ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ । ଏହି ଟି-୨୦ ଲିଗର ସବୁ ମ୍ୟାଚ ଦିବାରାତ୍ର ଖେଳାଯିବ ।

ଏହାଦ୍ବାରା ରାଜ୍ୟରେ ଉଦୀୟମାନ ଖେଳାଳି ସୃଷ୍ଟି ହେବା ସହ ରଣଜୀ ଖେଳାଳି ଚୟନ ମଧ୍ୟ ସହଜ ହେବ । ସେହିପରି ରାଜ୍ୟର ଉଦୀୟମାନ ଖେଳାଳିଙ୍କ ପାଇଁ ଆଇପିଏଲ ବାଟୋ ଖୋଲିବ ବୋଲି କୁହାଯାଉଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବ ।