କନକ ବ୍ୟୁରୋ: ବେଆଇନ ନିଶାମୁକ୍ତ ହେବ ଓଡ଼ିଶା । ପ୍ରଥମ ଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ସବୁ ବିଭାଗର ସଚିବଙ୍କ ସହିତ ଆଲୋଚନା ହୋଇଛି । ଓଡ଼ିଶାକୁ ସମ୍ପୂର୍ଣ୍ଣ ବେଆଇନ ନିଶାମୁକ୍ତ କରାଯିବା ନେଇ ଯୋଜନା କରାଯାଇଛି ।
ଆସନ୍ତା ୩୧ ତାରିଖରୁ ଜୁନ ୨୬ ତାରିଖ ଯାଏ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ ୩୧ ତାରିଖରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ୩ ଥର ଚାଲିବ ଏହି କ୍ୟାମ୍ପେନ । ପ୍ରତି ଗାଁରେ ଦାସକାଠିଆ, ଘୋଡା ନାଚ ଭଳି ଲୋକକଳା ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ ବିଭାଗ । ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରାଯିବ । ଅବକାରୀ ବିଭାଗ ସହ ପୁଲିସ , ଏସଟିଏଫ, ମିସନ ଶକ୍ତି, ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ କରିବେ । ମଦ ଓ ଡ୍ରଗ୍ସ ବିରୋଧରେ ମଧ୍ୟ କ୍ୟାମ୍ପେନ ଚାଲିବ । ସ୍କୁଲ, କଲେଜରେ ରଚନା ମାଧ୍ୟମରେ ପିଲାମାନେ ଅନଲାଇନରେ ବାର୍ତ୍ତା ପହଞ୍ଚାଇବେ । ଶ୍ରେଷ୍ଠ ବିବେଚିତକୁ ପୁରସ୍କୃତ କରାଯିବ । ସ୍କୁଲ ପରିସରରୁ ହଟିବ ବେଆଇନ ମଦ ଦୋକାନ । ଗାଁରେ ନିଶା ରୋକିବାକୁ ମିସନ ଶକ୍ତି ମହିଳାଙ୍କ ସାହାଯ୍ୟ ନିଆଯିବ ।