କନକ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ନେବ ଅବପାତର ରୂପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ, ଘନୀଭୂତ ହୋଇ ଉତ୍ତର ଦିଗରେ ଗତିକରିବ । ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡିଶା ଉପକୂଳ ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାରେ ସମ୍ଭାବନା ରହିଛି ।

ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଶନିବାର ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି ।  

୮ ତାରିଖରେ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ । ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୯ ତାରିଖରୁ ପ୍ରବଳ ବର୍ଷା ସହ ପବନର ବେଗ ବଢିବ । ସେଥିପାଇଁ ୮,୯ ଏବଂ ୧୦ ତାରିଖରେ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମନା । ଅବପାତଟି ଉତ୍ତର ଓଡିଶା ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ମୁହାଁ ହେବ । ଉପର ମହାନଦୀ ଏବଂ ତଳ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହେବ ।