କନକ ବ୍ୟୁରୋ : ସବୁ ଘରକୁ ପିଇବା ପାଣି ଯୋଗାଇ ଦେବାକୁ ପୂର୍ବ ସରକାର ଅନେକ ଯୋଜନା କରିଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପ କରି ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ତାହା କେବଳ ଭାଷଣରେ ସୀମିତ ରହିଛି । ଆଜି ବି ଲକ୍ଷ ଲକ୍ଷ ଲୋକ ପାଣି ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ପାଇପ୍ ଯୋଗେ ଘରକୁ ପାଣି ପହଁଚାଇବା କଣ୍ଟ ଗଡି ଗଡି ଚାଲୁଛି ।
ସବୁ ଘରକୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଏମିତି ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । ଏହା ଭିତରେ ବର୍ଷ ପରେ ବର୍ଷ ବିତିଲାଣି । ସରକାର ବି ବଦଳିଲା । ହେଲେ, ଜଳ କଷ୍ଟରୁ ମୁକ୍ତି ମିଳିନି । ଆଜି ବି ରାଜ୍ୟର ଲକ୍ଷ ଲକ୍ଷ ଲୋକ ପାଣି ମୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି । ବିଜେପି ସରକାର ଆସିବା ପରେ ୨୦୨୬ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ । ଏବେ ପୁଣି ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି ଯୋଗାଇବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟର ବିଭିନ୍ନ ଆଡୁ ଜଳ କଷ୍ଟର ଖବର ଆସିବା ପରେ ମଙ୍ଗଳବାର ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଉ କୌଣସି ବି ରାଜସ୍ୱ ଗ୍ରାମ ଯେପରି ପାନୀୟ ଜଳ ଯୋଗାଣରୁ ବାଦ୍ ନ ପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅ ।
ଅଧିକ ପଢ଼ନ୍ତୁ : ଖରା ଆରମ୍ଭରୁ ଜଳକଷ୍ଟ; ପିଇବା ପାଣି ପାଇଁ ସଂଘର୍ଷ
ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଲେ ବି ପୂରଣ କରିପାରୁନାହାନ୍ତି । ବରଂ ଦିନକୁ ଦିନ ପାନୀୟ ଜଳ ସଂକଟ ବଢ଼ିବାରେ ଲାଗିଛି । ଲୋକେ ଜଳ ଯନ୍ତ୍ରଣା ଭୋଗୁଛନ୍ତି । କିନ୍ତୁ କେବେ ସୁଦ୍ଧା ଏହି ସମସ୍ୟା ଦୂର ହେବ ସେ ନେଇ ବି କାହା ପାଖରେ ଠୋସ୍ ଉତ୍ତର ନାହିଁ । ସମୀକ୍ଷା ବେଳେ ପାନୀୟ ଜଳ ସଂକଟର ପ୍ରମୁଖ କାରଣ ଭୂତଳ ଜଳସ୍ତର ହ୍ରାସ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଉନି । ଭୂତଳ ଜଳ ସଂରକ୍ଷଣ ବଢ଼ାଇବା ଯାହା ନିଷ୍ପତ୍ତି ନିଆଯାଉଛି, ତାହା କାର୍ଯ୍ୟକାରୀ ହେଉନି । ଯାହାଫଳରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବହୁ ବ୍ଲକରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ୩୦ ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲାର ଜଳସ୍ତର ଖସୁଛି ।
ଏସବୁ ଦିଗ ପ୍ରତି ନଜର ଦେବା ସହ ସବୁ ଲୋକଙ୍କ ବିଶୁଦ୍ଧ ପିଇବା ପାଣି ଯୋଗାଇବା ସରକାରଙ୍କ ପାଇଁ ବଡ ଆହ୍ୱାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/odisha-water-crisis-2026-02-11-20-45-47.jpg)