କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ରାଇରଙ୍ଗପୁରରେ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ ମହାମହିମ। ପ୍ରଥମେ ବାଙ୍ଗରିପୋଷୀ ରେଳଷ୍ଟେସନ ସଭାସ୍ଥଳରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁରରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଦିନ ୧୨ଟା ୧୫ରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିବେ।
ସେପଟେ ଆଜି କଟକ ରେଳ ଷ୍ଟେସନ୍ର ଦ୍ବିତୀୟ ପ୍ରବେଶ ଦ୍ବାରର ହେବ ଲୋକାର୍ପଣ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଲୋକାର୍ପଣ କରିବେ। ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ ସୃଷ୍ଟି ହେଉଛି। ଏୟାରପୋର୍ଟ ଏୟାରପୋର୍ଟ ପରି ଲାଗୁଛି ରେଳ ଷ୍ଟେସନ୍। ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ରେଳଷ୍ଟେସନ୍ ସଂଯୋଗ କରିଛି। ଦ୍ବିତୀୟ ପ୍ରବେଶ ଦ୍ବାରରେ ଟିକେଟ୍ କାଉଣ୍ଟର ସହ ସଂପୂର୍ଣ୍ଣ ବାଧ୍ୟତାମୂଳକ ଭବନ ପରିସର, ଓଏସଓପି ଷ୍ଟଲ ଓ ଅତ୍ୟାଧୁନିକ ଫୁଡ୍ କୋର୍ଟ ରହିଛି। ପ୍ରଶସ୍ତ ପାର୍କିଂ ସୁବିଧା ସହ ଉପଯୁକ୍ତ ଭାବେ ପ୍ଲାନ୍ କରାଯାଇଥିବା ଅଞ୍ଚଳ ରହିଛି। ଯାତ୍ରୀମାନଙ୍କ ସୁଗମ ଯାତାୟତ ପାଇଁ ଏସ୍କାଲେଟର, ଶିଡ଼ି, ଲିଫ୍ଟ କରାଯାଇଛି। ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରଶସନ୍ତ ପ୍ରତିକ୍ଷା ସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ବାଲେଶ୍ବର ରେଳ ଷ୍ଟେସନ୍ରେ ଫୁଟ୍ ଓଭରବ୍ରିଜ୍ର ମଧ୍ୟ ଲୋକାର୍ପଣ ହେବ। ରେଲୱେ ଟ୍ରାକ୍ ପାରି ହେବା ପାଇଁ ନିରାପଦ ଓ ସୁବିଧାଜନକ ବ୍ୟବସ୍ଥା ହୋଇଛି। ଏହି ଓଭରବ୍ରିଜ୍ ପ୍ଲାଟ୍ ଫର୍ମ ୧, ୨, ୩ ଓ ୪କୁ ସଂଯୋଗ କରିବେ।