କନକ ବ୍ୟୁରୋ : ବିକାଶର ଶିଖର ଛୁଇଁବ ଓଡ଼ିଶା । ଏଥିପାଇଁ ସରକାରଙ୍କ ଭିଜନ୍ ସ୍ପଷ୍ଟ । କିନ୍ତୁ ଜନ ଭାଗିଦାରୀ ନ ରହିଲେ, ସବୁ ଯୋଜନା ଅଧା ରହିଯିବ । ତେଣୁ ତୃଣମୂଳସ୍ତରରେ ଲୋକଙ୍କ ପାଖକୁ ଯାଇ ପ୍ରସ୍ତାବ ଓ ପରାମର୍ଶ ଶୁଣୁଛନ୍ତି ସରକାର । ଆଜି ପ୍ରଥମ ଦିନରେ ବାଲେଶ୍ୱର ଓ କୋରାପୁଟରେ ଦେଖିବାକୁ ମିଳିଥିଲା ଏହାର କିଛି ଚିତ୍ର ।
ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡ଼ିଶା ୨୦୩୬ର ଭିଜନ୍ ଆଉ ପାଦେ ଆଗକୁ ଯାଇଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କର୍ମଶାଳା । ବାଲେଶ୍ୱରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ୪ ମନ୍ତ୍ରୀ ସାମିଲ ହୋଇ ବିଭିନ୍ନ ବିଭିନ୍ନ ବର୍ଗ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିଛନ୍ତି । କର୍ମଶାଳାରେ ଦଳମତ ନିର୍ବିଶେଷରେ ସବୁବର୍ଗର ଲୋକ ଓ ବିଭାଗୀୟ ଅଧିକାରୀଙ୍କ ସହ ସରକାର କରିଛନ୍ତି ୱାନ୍ ଟୁ ୱାନ୍ ଆଲୋଚନା । ତୃଣମୂଳସ୍ତରରେ ଲୋକଙ୍କଠାରୁ ପ୍ରସ୍ତାବ ଓ ପରାମର୍ଶ ନିଆଯାଇଛି । ବାଲେଶ୍ୱରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କର୍ମଶାଳାରେ ଉପସ୍ଥିତ ରହିଥିଲେ ସାଂସଦ, ବିଧାୟକଙ୍କ ସହ ପରିବହନ ସଚିବ ଉଷା ପାଢ଼ୀ ଓ ଡିଆଇଜି, ଜିଲ୍ଲାପାଳ, ଏସ୍ପି ପ୍ରମୁଖ । ଓଡ଼ିଶାକୁ ଆଗକୁ ନେବାକୁ କ’ଣ କରାଯିବ ? ସେନେଇ ହୋଇଛି ମାନସମନ୍ଥନ । ଜନ ଭାଗିଦାରୀକୁ ସୁନିଶ୍ଚିତ କରିବାକୁ ଏଭଳି କର୍ମଶାଳା ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ବିକଶିତ ଓଡ଼ିଶାର ଭିଜନ୍ ନେଇ କୋରାପୁଟରେ ହୋଇଛି କର୍ମଶାଳା । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିରେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାହିଁକି ପାଲଟିଛି ରେଫରାଲ୍ ମେଡିକାଲ ? କୋଟିଆକୁ କେବେ ମିଳିବ ଓଡ଼ିଆ ଅସ୍ମିତା ? ଏ ଥିଲା କର୍ମଶାଳାରେ କୋରାପୁଟବାସୀଙ୍କ କୋହ । ମନ୍ତ୍ରୀଙ୍କୁ ପାଖରେ ପାଇ ଅସନ୍ତୋଷ ଝାଡ଼ିଛନ୍ତି, ମନର କଥା କହିଛନ୍ତି ଲୋକେ । ତା’ ସହ ଭିଜନ୍ ୨୦୩୬ ଲାଗି ବି ଦେଇଛନ୍ତି ପ୍ରସ୍ତାବ । ବୁଦ୍ଧିଜୀବୀ ଓ ନେତା କର୍ମଶାଳାରେ ଉପସ୍ଥିତ ରହି ଆଲୋଚନାରେ ସାମିଲ୍ ହୋଇଥିଲେ । ସେପଟେ ଲୋକଙ୍କ ସୁବିଧା ଲାଗି ସବୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ସରକାରୀ ଯୋଜନାର ରୂପରେଖ, ଲୋକାଭିମୁଖୀ ପଦକ୍ଷେପଠାରୁ ନେଇ ନିଯୁକ୍ତି, ଶିକ୍ଷା ତଥା ଗାଁକୁ ସହର ଭଳି କରାଯିବାକୁ ସରକାର ଭିଜନ୍ ସ୍ପଷ୍ଟ କରିଛନ୍ତି । ତେଣୁ ମନ୍ତ୍ରୀ, ସଚିବ ଲୋକଙ୍କ ପାଖକୁ ଯିବାକୁ ସରକାର ଦେଇଛନ୍ତି ନିର୍ଦ୍ଦେଶ ।