chitrakonda Photograph: (kanak news)
କନକ ବ୍ୟୁରୋ: ଗାଁ ସ୍ଥାପନକୁ ବିତିଗଲାଣି ୫୦ ବର୍ଷରୁ ଅଧିକ ସମୟ । ହେଲେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛି । ରାସ୍ତା ନିର୍ମାଣ ହୋଇପାରୁନି, ଆବାସ ବି ଦେଉନାହାନ୍ତି ସରକାର । ଏନେଇ ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ । ଚିତ୍ରକୋଣ୍ଡା ପଞ୍ଚାୟତ ଅପରେଟର କଲୋନୀ ଠାରୁ ଚିତ୍ରକୋଣ୍ଡା ଗାଁକୁ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କାଦୁଅ ପଚପଚ ରାସ୍ତାରେ ଯିବା ଅସମ୍ଭବ । ଅନେକ ସ୍ଥାନରେ ରାସ୍ତାରୁ ଗୋଡ଼ି ବାହାରି ଯାତୟାତରେ ସମସ୍ୟା ସୃଷ୍ଟି କରୁଛି । ଭଲରାସ୍ତା ଯଦି ଏଠି ସ୍ବପ୍ନ ପାଲଟେ, ତେବେ ଅନ୍ୟ ମୌଳିକ ସୁବିଧା ସହିତ କିଭଳି ବୁଝାମଣା ଚାଲିଛି, ଏକଥା ସହଜରେ ଅନୁମେୟ ।
ଆହୁରି ପଢ଼ନ୍ତୁ : କାହାକୁ ଦରଦ ଦେଖାଇବେ ନୂଆପଡ଼ା ଭୋଟର? ନୂଆପଡ଼ାରେ କିଙ୍ଗମେକର ସାଜିବ ‘ସିମ୍ଫାଥି ଭୋଟ୍’
ଖାଲି ରାସ୍ତା ନୁହେଁ ଏଠି ଆବାସ ବି ସାତ ସପନ । ଅପରେଟର କଲୋନୀର ବାସିନ୍ଦା , ଭିକ ମାଗିଲେ ପେଟ ତାଙ୍କର । ଯେଉଁ ଘର ଥିଲା ୩ ମାସ ତଳେ ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି । ଖାଲି ଧନୀ ସେଠୀ ନୁହଁନ୍ତି, ଗାଁର ୪୦ରୁ ଅଧିକ ପରିବାର ଗରିବ ଶ୍ରେଣୀର । କିଏ ଘରେ ଜରି ପାଲ ଘୋଡ଼ାଇ ରହୁଛି ତ’ ଆଉ କିଏ ଭଙ୍ଗା ଦଦରା ଘରେ ପଡ଼ିଛି । ହେଲେ କାହାକୁ ବି ଆଜି ଯାଏଁ ଆବାସ ଯୋଜନାରେ ଘର ମିଳିନି । ଏଭଳି ଅନେକ ସମସ୍ୟା ଧରି ଲୋକେ ବିଭିନ୍ନ ସମୟରେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ହେଲେ ଫଳ ଶୂନ । ବାଲିମେଳା ଡ୍ୟାମ ନିର୍ମାଣ ସମୟରେ ଅପରେଟର କଲୋନୀର ସ୍ଥାପନ କରାଯାଇଥିଲା । ବାଲିମେଳା ପ୍ରକଳ୍ପର ଯୋଗଦାନ ଓଡ଼ିଶା ପାଇଁ କିଛି କମ୍ ନୁହେଁ । ପ୍ରକଳ୍ପର ଭାଗ୍ୟ ସିନା ବଦଳିଲା, ବିସ୍ଥାପିତଙ୍କର ଭାଗ୍ୟରେ ପରିବର୍ତ୍ତନ ଆସୁନି ।
Follow Us