କନକ ବ୍ୟୁରୋ : ସାଢେ ବାର ଘଣ୍ଟାର ଆଲୋଚନା ପରେ ଓଡିଶା ବିଧାନସଭାରେ ପାରିତ ହେଲା ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍- ୨୦୨୦ର ଭାଗ୍ୟ କ'ଣ ହେବ ? ୨୦୨୨ ମେ' ମାସରୁ ଏହି ବିଲ୍ ଉପରେ ରହିଛି ସୁପ୍ରିମକୋର୍ଟଙ୍କ ରହିତାଦେଶ । ତେଣୁ ଏ ସଂପର୍କରେ ମତ ରଖିଛନ୍ତି ଆବେଦନାକାରୀ ପ୍ରଫେସର ଅଜିତ ମହାନ୍ତି ।
ପ୍ରଫେସର ଅଜିତ ମହାନ୍ତି ଅଭିଯୋଗ କରିଛନ୍ତି, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ- ୨୦୨୦ ଆଣି ଚକ୍ରାନ୍ତ କରିଥିଲେ ପୂର୍ବ ସରକାର । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ତଳି ତଳାନ୍ତ କରିବାକୁ ଚାହୁଁଥିଲେ । ଏହି ବିଲ୍ରେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା କ୍ଷୁଣ୍ଣ ହୋଇଥାନ୍ତା, କୁଳପତି କେବଳ ରାଜ୍ୟ ସରକାରଙ୍କ ଅଧସ୍ତନ କର୍ମଚାରୀ ହୋଇ ରହିଥାନ୍ତେ । ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ ବିଧାନସଭାରେ ନୂଆ ବିଲକୁ ନେଇ କେମିତି ଆଲୋଚନା ହେଉଛି ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ସିଧାସଳଖ ଖଣ୍ଡନ କରିଥିଲେ ସରକାର ।
ସଂଶୋଧିତ ବିଶ୍ୱବିଦ୍ୟାଳୟ ବିଲ ଅନୁଯାୟୀ, ୟୁନିଭର୍ସିଟିଗୁଡିକରେ ସରକାରଙ୍କ ନିୟନ୍ତ୍ରଣ କମିବ । ଏଥିସହ ବିଶ୍ୱବିଦ୍ୟାଳୟରେ ସିନେଟ ବ୍ୟବସ୍ଥା ଫେରୁଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି ।