କନକ ବ୍ୟୁରୋ : ଗଞ୍ଜେଇ ଜବତରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର । ଏହି ଖବର ଯେତିକି ଆଶ୍ଵସ୍ତି ଦେଉଛି, ସେତିକି ଚିନ୍ତା ମଧ୍ୟ ବଢ଼ାଉଛି । ଗୋଟିଏ ପଟେ ଅବକାରୀ ବିଭାଗର ତତ୍ପରତା ଓ ସଫଳତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ଓଡ଼ିଶା କାହିଁକି ଗଞ୍ଜେଇ ଚୋରାଚାଲାଣର ‘ସେଫ୍ ଜୋନ୍’ ପାଲଟୁଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।
ଗଞ୍ଜେଇ ଜବତ ତାଲିକାରେ ଦେଶର ଶୀର୍ଷରେ ରହିଛି ଓଡ଼ିଶା। ଏହା ଓଡ଼ିଶା ପାଇଁ ଗୌରବ ନା ଚିନ୍ତା ? ଅବକାରୀ ବିଭାଗର କଡ଼ା ଆଭିମୁଖ୍ୟ ଯୋଗୁଁ ଆଜି ବଡ଼ ବଡ଼ ଗଞ୍ଜେଇ ମାଫିଆଙ୍କ ନିଦ ହଜିଯାଇଛି । କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି । ବିଭାଗୀୟ ତତ୍ପରତା ଯୋଗୁଁ ରାଜ୍ୟର କୋଣ ଅନୁକୋଣରୁ ଲୁଚାଛପାରେ ଚାଲିଥିବା ଏହି କଳା କାରବାରର ପର୍ଦ୍ଦାଫାସ ହେଉଛି। କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଛି ଏକ ଭୟଙ୍କର ସତ । ଓଡ଼ିଶା ଏବେ ଗଞ୍ଜେଇ ଚୋରାଚାଲାଣର ହବ୍ ପାଲଟିଛି । ବାହାର ରାଜ୍ୟର ମାଫିଆମାନେ ଓଡ଼ିଶାକୁ ଏକ ସୁରକ୍ଷିତ କରିଡର ଭାବେ ବ୍ୟବହାର କରୁଛନ୍ତି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଲୁଚାଛପାରେ ବଢ଼ିଚାଲିଛି ଗଞ୍ଜେଇ ଚାଷ। ଯାହା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲା ଏବେ ଗଞ୍ଜେଇ କାରବାରର କେନ୍ଦ୍ରବିନ୍ଦୁ ସାଜିଛି। ବାର୍ଷିକ ପ୍ରାୟ ୩୦ରୁ ୫୦ ହଜାର କେଜି ଗଞ୍ଜେଇ କେବଳ ଏହି ଜିଲ୍ଲାରୁ ଜବତ ହେଉଛି। ଏହା ପଛକୁ ରହିଛନ୍ତି ମାଲକାନଗିରି, ଗଜପତି ଓ କନ୍ଧମାଳ ଭଳି ଜିଲ୍ଲା। ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗ ଏତେ ସଜାଗ ଥାଇ ମଧ୍ୟ ମାଫିଆମାନେ ଏତେ ସାହସ ପାଉଛନ୍ତି କେଉଁଠୁ? କାହା ଛତ୍ରଛାୟା ତଳେ ଚାଲିଛି ଏହି ବିଷ ବେପାର?
ଅଧିକ ପଢ଼ନ୍ତୁ : ଅପରେସନ ଗ୍ରୀନ କ୍ଲିନ୍ : ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
ଗଞ୍ଜେଇ : କେଉଁ ରାଜ୍ୟରେ କେତେ ଜବତ?
ଆନ୍ଧ୍ରପ୍ରଦେଶ: ୫.୫ ଲକ୍ଷ କେଜି
ଉତ୍ତର ପ୍ରଦେଶ : ୨.୪ ଲକ୍ଷ କେଜି
ଆସାମ: ୧.୯ ଲକ୍ଷ କେଜି
ରାଜସ୍ଥାନ ଓ ମହାରାଷ୍ଟ୍ର: ଉଭୟ ୧.୬ ଲକ୍ଷ କେଜି
ପଶ୍ଚିମବଙ୍ଗ: ୧.୫ ଲକ୍ଷ କେଜି
ମଧ୍ୟପ୍ରଦେଶ : ୧.୨ ଲକ୍ଷ କେଜି
ଗଞ୍ଜେଇ : କେଉଁ ବର୍ଷ କେତେ ଜବତ? (ଓଡ଼ିଶା)
୨୦୨୦: ୫.୮ ଲକ୍ଷ କେଜି
୨୦୨୧: ୮.୧ ଲକ୍ଷ କେଜି (ସର୍ବାଧିକ)
୨୦୨୨: ୭.୨ ଲକ୍ଷ କେଜି
୨୦୨୩: ୬.୩ ଲକ୍ଷ କେଜି
୨୦୨୪: ୫.୪ ଲକ୍ଷ କେଜି
୨୦୨୫ (ନଭେମ୍ବର ପର୍ୟ୍ୟନ୍ତ): ୫.୯ ଲକ୍ଷ କେଜି
Follow Us