କନକ ବ୍ୟୁରୋ: ଓଡ଼ିଶାକୁ ମ୍ୟାଲେରିଆ ଭୟ । ସଚେତନତା ପରେ ବି ସୁଧୁରୁନି ସ୍ଥିତି । ମ୍ୟାଲେରିଆ ନିୟନ୍ତ୍ରଣରେ ଫେଲ୍ ମାରିଛି ସ୍ୱାସ୍ଥ୍ୟ ବିଭାଗ । ଏନ୍ଭିବିଡିସିପି ସୂଚନା ଅନୁସାରେ, ଚଳିତବର୍ଷ ମେ ସୁଦ୍ଧା ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ପ୍ରତିଶତ କେବଳ ଓଡ଼ିଶାର । ଏପରିକି ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ମ୍ୟାଲେରିଆପ୍ରବଣ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା ।
ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣ ଉପରେ ଲଗାମ କଷିବାକୁ ୨୦୧୭ରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଭିଯାନ । କିନ୍ତୁ ଏବେ ମ୍ୟାଲେରିଆ ଦମନ ଯୋଜନା ଫେଲ୍ ମାରିଛି । ସଂକ୍ରମଣ କମିବା ପରିବର୍ତ୍ତେ ଉପରମୁହାଁ । ଏନ୍ଭିବିଡିସିପି ରିପୋର୍ଟ ଅନୁସାରେ, ଚଳିତବର୍ଷ ମେ’ ସୁଦ୍ଧା ଦେଶରେ ୬୪ ହଜାର ୨୪୫ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଓଡ଼ିଶାରୁ ୨୪ ହଜାର ୪୭୨ଜଣ ରୋଗୀ ଅଛନ୍ତି । ଯାହାକି ଦେଶରେ ସର୍ବାଧିକ । ବର୍ଷ ଶେଷକୁ ଏହି ସଂଖ୍ୟା ପୂର୍ବ ରେକର୍ଡକୁ ଟପିବାର ଆଶଙ୍କା କରାଯାଉଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ସ୍ଥିତି ଗମ୍ଭୀର । ସମୟକ୍ରମେ ମାଓ ସମସ୍ୟା ଧୀରେଧୀରେ ହ୍ରାସ ପାଉଥିବା ବେଳେ ଏବେ ମାଲେରିଆ ଅପବାଦ ମୁଣ୍ଡାଇଛି ମାଲକାନଗିରି ଜିଲ୍ଲା । ଚଳିତ ବର୍ଷ ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ସୀତାଗନ୍ଦି ଗାଁର ୫ ବର୍ଷର ଶିଶୁ କନ୍ୟା ସମେତ ୪ ଜଣଙ୍କ ଜୀବନ ନେଇଛି ମ୍ୟାଲେରିଆ ।
ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଭଲ ନଥିବାରୁ ନିୟନ୍ତ୍ରଣ ପାଇଁ ନିୟମିତ ପ୍ରୟାସ ଜାରି ରହିଛି । ହେଲେ ତୃଣମୂଳସ୍ତରରେ ଏହାର ସଠିକ୍ ରୂପାୟନ ହୋଇପାରୁନି । ଦମନ କାର୍ଯ୍ୟକ୍ରମ ଜାରି ରହିବା ସହ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଇ-ଏଲ୍ଏଲ୍ଆଇଏନ୍ ମଶାରି ବଣ୍ଟନ ହେଉଛି । ହେଲେ ଲୋକ ନୂଆ ବଦଳରେ ପୁରୁଣା ମଶାରି ବ୍ୟବହାର କରୁଛନ୍ତି । ଏପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସବୁ ରାଜ୍ୟର ଭୌଗୋଳିକ ସ୍ଥିତି ଭିନ୍ନ । ତେଣୁ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି ।
୨୦୩୦ ମସିହା ସୁଦ୍ଧା କେନ୍ଦ୍ର ସରକାର ମ୍ୟାଲେରିଆ ନିରାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ଗ୍ରାମାଞ୍ଚଳରେ ଆଶାକର୍ମୀ, ଏଏନ୍ଏମ୍ ସହ କ୍ୱାକ୍, ଗୁଣିଗାରେଡ଼ି କରୁଥିବା ଦିଶାରୀ ମାନଙ୍କୁ ମଧ୍ୟ ନିରାକରଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି । ହେଲେ ତଥ୍ୟ ଦେଖିଲେ ଲାଗୁଛି ଓଡ଼ିଶା ମୁଣ୍ଡରୁ ମ୍ୟାଲେରିଆ ଜ୍ୱର ହଟିବାକୁ ଲାଗିବ ଲମ୍ବା ସମୟ ।