କନକ ବ୍ୟୁରୋ: ଓଡ଼ିଶାରେ ମଣିଷ-ହାତୀ ଭିତରେ ସଂଘର୍ଷ ହେବନି, ସୁସମ୍ପର୍କ ବଢ଼ିବ । ଜଙ୍ଗଲରେ ସୁରକ୍ଷିତ ଭାବେ ଚଳପ୍ରଚଳ କରିବେ ଗଜରାଜ । ମଣିଷ ପାଖରୁ ହାତୀଙ୍କୁ ରହିବନି ଭୟ । କାରଣ ହାତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବାକୁ ଯାଉଛନ୍ତି ସରକାର । ଦ୍ରୁତ ସହରୀକରଣ ଭିତରେ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ରାତି ପାହିଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ହାତୀ-ମଣିଷ ସଂଘର୍ଷର ଖବର । ଏହି ସଂଘର୍ଷରେ ଜୀବନ ଯାଉଛି । କେତେବେଳେ ହାତୀର ତ ପୁଣି କେତେବେଳେ ମଣିଷର । ଏଥିରେ ଏବେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ହାତୀ କରିଡରର ପୁନଃଗଠନ ସହ ୨୧୦୦ ହାତୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଆସିବ ସ୍ୱତନ୍ତ୍ର ନୀତି । ଏଥିପାଇଁ ଚନ୍ଦକାରେ ବିଶ୍ୱର ପ୍ରଥମ ସେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍ କେନ୍ଦ୍ର ଖୋଲିଛନ୍ତି ସରକାର ।
- କିଭଳି ଜନବସତି ମୁହାଁ ହେବେନି ହାତୀ ?
- ମଣିଷ-ହାତୀ ଲଢେଇ କେମିତି ଲାଗିବ ରୋକ?
ସେନେଇ ଏହି କେନ୍ଦ୍ର ଗବେଷଣା କରି ଦେଇଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ସ୍ବତନ୍ତ୍ର ନୀତି । ହାତୀ-ମଣିଷ ଲଢେଇର ଗତ ୧୦ ବର୍ଷର ତଥ୍ୟ ବେଶ ଉଦବେଗଜନକ । ଏହି ଅବଧିରେ ୭୫୦ ହାତୀଙ୍କ ଜୀବନ ଯାଇଥିବା ବେଳେ ୯୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବିଦ୍ୟୁତ ଆଘାତରେ ଯାଉଛି ସର୍ବାଧିକ ହାତୀଙ୍କ ଜୀବନ । ତେଣୁ କେଉଁ ସ୍ଥାନରେ ହାତୀଙ୍କ ପାଇଁ ଅଧିକ ବିପଦ ରହିଛି ? ସେ ସ୍ଥାନ ଚିହ୍ନଟ କରିବାକୁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରୟାସ । ଏହାବାଦ୍ ଜଙ୍ଗଲ ଭିତରେ ହାତୀ ରାଜ୍ୟରୁ ରାଜ୍ୟ ବିଚରଣ କରୁଥିବାରୁ ସୁରକ୍ଷା ପାଇଁ ରିଜିଓନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ହାତୀର ସୁରକ୍ଷାକୁ ଅଗ୍ରାଧିକାର ଦେଇଛନ୍ତି ସରକାର । ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାରେ ହାତୀ ଓ ମଣିଷ ନିରାପଦରେ ରହିବା ଭଳି ବାତାବରଣ ତିଆରି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।