କନକ ବ୍ୟୁରୋ : ରାଜ୍ୟରେ କିଛି ଦିନ ହେଲା ଅପରାଧର ଖବର ଗଣମାଧ୍ୟମର ଶିରୋନାମାପାଲିଟିଛି । କଥା କଥାକେ ବନ୍ଧୁକ, ବୋମା ମାଡ଼ ହେଉଛି । ଚୋରି ,ରାହାଜାନୀ ବଢ଼ୁଛି । ଲାଗୁଛି ଯେମିତି ପୁଲିସକୁ ଆଉ ଅପରାଧୀ ଭୟ କରୁନାହାନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପରାଧୀ ଦମନ ପାଇଁ କଡ଼ା ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି ଉପବାଚସ୍ପତି । ଗଲା ଦୁଇ ଦିନ ଭିତରେ ଆସିଥିବା ଏହି ତିନି ଖବର ଦର୍ଶାଉଛି, ଅପରାଧୀଙ୍କୁ ଆଉ ପୁଲିସର ଭୟ ନାହିଁ। ମାସକ ଭିତରେ ଖବର ଦେଲେ ତାଲିକା ଲମ୍ୱା ହେବ ଏଥିରେ ସନ୍ଦେହ ନାହିଁ । ତେଣୁ ଅପରାଧୀଙ୍କୁ ଦମନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉପ-ବାଚସ୍ପତି ଭବାନୀଶଙ୍କର ଭୋଇ ।  

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉପ-ବାଚସ୍ପତି ଲେଖିଛନ୍ତି ଓଡ଼ିଶାରେ ୟୁପି ଭଳି ଆଇନ ଲାଗୁ କରାଯାଉ । ରାଜ୍ୟରେ ବୃଦ୍ଧି ପାଉଥିବା ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଢଙ୍ଗରେ ରୋକିବା ଉଦ୍ଦେଶ୍ୟରେ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଭଳି ଆଇନ ଓଡ଼ିଶାରେ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଛନ୍ତି । ୟୁପି ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶାରେ ‘ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନ୍‌’ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି । ଆଇନ କିପରି କାର୍ଯ୍ୟକାରୀ ହେବ ଏବଂ ତା’ର ପ୍ରଭାବ କ’ଣ ରହିବ ସେନେଇ ବିସ୍ତୃତ ଭାବରେ ଚିଠିରେ ଉଲ୍ଲେଖ କରିଛନ୍ତି । 

ଉପବାଚସ୍ପତିଙ୍କ ପ୍ରସ୍ତାବ

କଡ଼ା ଦଣ୍ଡବିଧାନ ଓ ସମ୍ପତ୍ତି ଜବରଦଖଲର ଭୟ ରଖାଯାଉ
ସମ୍ପତ୍ତି ବାଜ୍ୟାପ୍ତ ସହ ତ୍ବରିତ ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସକ୍ଷମ କରିବା  
ବଡ଼ ବଡ଼ ନେତା, ଅର୍ଥ ଲଗାଉଥିବା ବ୍ୟକ୍ତିବିଶେଷଙ୍କୁ ଦମନ କରାଯାଉ
ଅପରାଧଶ୍ରେଣୀୟ ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବାକୁ ନିୟମ ଆସୁ
ଗ୍ୟାଙ୍ଗ୍‌ଷ୍ଟର ଓ ଗୁଣ୍ଡାଙ୍କ ବିରୋଧରେ ପ୍ରଭାବଶାଳୀ ମକଦ୍ଦମା ସୁନିଶ୍ଚିତ କରିବା
ଆଇନ ଅନୁସାରେ ଜନତାଙ୍କ ଶାନ୍ତି, ସୁରକ୍ଷା ଓ ସମ୍ପତ୍ତିକୁ ସୁନିଶ୍ଚିତ କରିବା
ଗ୍ୟାଙ୍ଗ୍‌ ନେଟ୍‌ୱର୍କକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ପାଇଁ ସ୍ବତନ୍ତ୍ର ଆଇନ୍‌ ଲାଗୁ କରିବା

କେବଳ ଏତିକି ନୁହେଁ ସଂଗଠିତ ଅପରାଧୀ ଗୋଷ୍ଠୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଭ୍ୟାସଗତ ଗୁଣ୍ଡାଙ୍କ ବିରୋଧରେ ନିବାରଣମୂଳକ ପଦକ୍ଷେପ ସହ ଶୀଘ୍ର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ନେଇ ପ୍ରସ୍ତାବରେ ଜୋର ଦିଆଯାଇଛି । ପୁଲିସ, ଇଣ୍ଟେଲିଜେନ୍ସ ଓ ରାଜସ୍ବ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଗୁରୁତ୍ୱ ଦେଇଛନ୍ତି ଉପବାଚସ୍ପତି ।