କନକ ନ୍ୟୁଜ: ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୋଗ । ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଏହି ଅଘଟଣ ଘଟିଛି । ଦ୍ବିତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଛାତ୍ରୀ ଜଣଙ୍କ ବାଲେଶ୍ବରର ଜଳେଶ୍ବରର ବୋଲି ଜଣାପଡିଛନ୍ତି । ଆରଜି କର ମେଡିକାଲର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଗତ ୨୦୨୪ରେ କୋଲକତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ନ୍ୟାୟ ଦାବିରେ ଆରଜି କର ମେଡିକାଲ ପରିସରରେ ନର୍ସିଂ ଷ୍ଟାଫ ବିକ୍ଷୋୠ ପ୍ରଦର୍ଶନ କରିଥିଲେ । ଡାକ୍ତରୀ ଛାତ୍ରଛାତ୍ରୀମାନେ ମଧ୍ୟ ବିରୋଧ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଥିଲେ । ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ୟ୍ୟାଳୟକୁ ଘେରାଉ କରିଥିଲେ ଡାକ୍ତରୀ ଛାତ୍ରଛାତ୍ରୀ । ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ସ୍ୱାସ୍ଥ୍ୟ ସେବାରେ ଥିବା କର୍ମଚାରୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଥିଲେ ।
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଏକ ବର୍ଷରୁ ଅଧିକ ସମୟ ହେଲାଣି । ଏହି ଘଟଣା ପଶ୍ଚିମବଙ୍ଗ ତଥା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡରେ ଦଣ୍ଡିତ କରାଯାଇଛି, କିନ୍ତୁ ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼୍ଯନ୍ତ୍ର ବୋଲି ଦାବି କରିଛନ୍ତି । ଏହି ଘଟଣା ଏଯାଏ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଜଣେ ଡାକ୍ତଙ୍କୁ ଦୁଷ୍କର୍ମ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।