କନକ ବ୍ୟୁରୋ: ଯୋଜନାର ପରିଧି ବଢ଼ୁଛି, ଅନୁଦାନ ପରିମାଣ ବି ବଢ଼ିଛି । କିନ୍ତୁ କମିପାରିନି ରାଜ୍ୟରେ ଅପପୁଷ୍ଟିର ଅପବାଦ । ଉପାନ୍ତରୁ ଉପକୂଳ, ସବୁଠି ଚିନ୍ତାଜନକ ସ୍ଥିତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ତଥ୍ୟ ଦେଖିଲେ ମୁଣ୍ଡ ଘୂରିଯାଉଛି । ରାଜ୍ୟରେ ଏବେ ବି ୧୩ ହଜାର ୭୩୬ ଶିଶୁ ଅପପୁଷ୍ଟିର ଶିକାର । ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୂରଭଞ୍ଜରେ ସର୍ବାଧିକ ୧୬୬୨ ଶିଶୁଙ୍କୁ ଗ୍ରାସ କରିଛି ଅପପୁଷ୍ଟି । ତା ପଛକୁ ନବରଙ୍ଗପୁରରେ ୧୦୧୭ ଶିଶୁ ଅପପୁଷ୍ଟି କବଳରେ । ତୃତୀୟରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର । ଏଠାରେ ୯୦୧ ଶିଶୁ ଅପପୁଷ୍ଟିରେ ବନ୍ଧା ପଡ଼ିଛନ୍ତି । ଏମିତିକି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାରେ ୬୪୧ ଶିଶୁ ଅପପୁଷ୍ଟିର ଶିକାର । ନବୀନଙ୍କ ଜିଲ୍ଲା ଗଞ୍ଜାମ ଗଲା ୪ବର୍ଷର ରେକର୍ଡକୁ କାଟି ୬୪୧ରେ ପହଞ୍ଚିଛି ।

Advertisment

ରାଜ୍ୟରେ ଗତ ୫ବର୍ଷରେ ୯୫,୪୪୩ ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ । ଅପପୁଷ୍ଟିକୁ ନିୟନ୍ତ୍ରଣ ଲାଗି ପରିପୂରକ ପୁଷ୍ଟି ଯୋଜନାରେ ୬ ମାସରୁ ୬ବର୍ଷର ଶିଶୁଙ୍କୁ ବର୍ଷକୁ ୩୦୦ ଦିନ ଲାଗି ପୁଷ୍ଟିକର ଖାଦ୍ୟ ଦିଆଯାଉଛି । ୩ ବର୍ଷରୁ ୬ବର୍ଷର ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ଜଳଖିଆ ସହ ଗରମ ରନ୍ଧାଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଅପପୁଷ୍ଟିରେ ଶିକାର ୬ମାସରୁ ୫ବର୍ଷର ଶିଶୁଙ୍କୁ ଛତୁଆ, ଅଣ୍ଡା ଦିଆଯାଉଛି । ତା’ ପରେ ବି ସ୍ଥିତି ସୁଧୁରୁନି । ୨୦୨୩-୨୪ବର୍ଷରେ ୧୩,୭୩୬ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଯାଜପୁର, ନୂଆପଡ଼ାରେ ସ୍ଥିତି ସୁଧୁରିଛି । କିନ୍ତୁ ଉପାନ୍ତରେ ଚିତ୍ର ଆହୁରି ଭୟଙ୍କର । ୫୦୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଥିବା ଜିଲ୍ଲା ସଂଖ୍ୟା ୧୨ରେ ପହଞ୍ଚିଲାଣି । ଗରିବ କଲ୍ୟାଣ ଲାଗି ଅନେକ ଯୋଜନା ଲାଗୁ ପରେ ବି ସ୍ଥିତିରେ ସୁଧାର ନ ଆସିବା ସରକାରୀ ଯୋଜନାର ବାସ୍ତବତା ନେଇ ପ୍ରଶ୍ନଚିହ୍ନ ଲଗେଇଛି ।

ସଂଖ୍ୟା କମୁଛି କହି ଖସି ଯାଉଛନ୍ତି ସରକାର । ହେଲେ ଆଜି ବି ଅଳିଆ ଗଦାରୁ ଆହାର ଖୁଣ୍ଟି ଗରିବ ଭୋକ ମାରିବାକୁ ଚେଷ୍ଟା କରୁଛି । ବିକାଶର ହିସାବ କରୁଥିବା ନେତା, ଏସି ଚାମ୍ବରରୁ ହଲୁ ନଥିବା ଅଧିକାରୀ ଏହାକୁ ନିଜ ବିଫଳତା ବୋଲି ନ କହିଲା ଯାଏଁ ସ୍ଥିତି ସୁଧୁରିବା ଆପାତତଃ ଅସମ୍ଭବ ବୋଲି କୁହାଯାଇପାରେ ।