ସମ୍ଭାବନା ଓ ସୁଯୋଗର ପାହାଡ଼ ଉପରେ ଓଡ଼ିଶା କ୍ରୀଡ଼ା, ଆୟୋଜନ ହେବ ଏକାଧିକ ଜାତୀୟ ସ୍ତରୀୟ ପ୍ରତିଯୋଗିତା

Advertisment

ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରି ମାସରେ ପୁରୁଷ ହକି ଇଣ୍ଡିଆ ଲିଗ୍‌ର ସମସ୍ତ ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ । ଚେନ୍ନାଇ ଓ ରାଞ୍ଚିରେ ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଭୁବନେଶ୍ବରରେ ଦୁଇଟି କ୍ବାଲିଫାୟର ସହ ଏଲିମିନେଟର୍ ଓ ସେମିଫାଇନାଲ୍ ଖେଳାଯିବ ।

ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରି ମାସରେ ପୁରୁଷ ହକି ଇଣ୍ଡିଆ ଲିଗ୍‌ର ସମସ୍ତ ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ । ଚେନ୍ନାଇ ଓ ରାଞ୍ଚିରେ ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଭୁବନେଶ୍ବରରେ ଦୁଇଟି କ୍ବାଲିଫାୟର ସହ ଏଲିମିନେଟର୍ ଓ ସେମିଫାଇନାଲ୍ ଖେଳାଯିବ ।

Odisha Sports

କନକ ବ୍ୟୁରୋ: ଓଡ଼ିଶା କ୍ରୀଡ଼ା ଏବେ ସୁବର୍ଣ୍ଣ ବେଳା ଦେଇ ଗତି କରୁଛି । ସୁଯୋଗ ଓ ସମ୍ଭାବନାର ବିସ୍ତୃତ ସମ୍ଭାରରେ ରାଜ୍ୟ କ୍ରୀଡ଼ା ରୁଦ୍ଧିମନ୍ତ । ସେଥିପାଇଁ ରାଜ୍ୟର ଉଦୀୟମାନ ତଥା ପ୍ରତିଭାସଂପନ୍ନ କ୍ରୀଡ଼ାବିତ୍‌ଙ୍କ ପାଇଁ ନିଜ ପରାକାଷ୍ଠା ଦେଖାଇବାର ଆଉ ଭଲ ମୁହୂର୍ତ୍ତ ଅନ୍ୟ କିଛି ହୋଇ ନପାରେ । ଚଳିତବର୍ଷ ଓଡ଼ିଶା ଏକାଧିକ ଜାତୀୟସ୍ତରୀୟ ପ୍ରତିଯୋଗିତାର ଆୟୋଜକ ସାଜିବ । ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରି ମାସରେ ପୁରୁଷ ହକି ଇଣ୍ଡିଆ ଲିଗ୍‌ର ସମସ୍ତ ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ । ଚେନ୍ନାଇ ଓ ରାଞ୍ଚିରେ ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଭୁବନେଶ୍ବରରେ ଦୁଇଟି କ୍ବାଲିଫାୟର ସହ ଏଲିମିନେଟର୍ ଓ ସେମିଫାଇନାଲ୍ ଖେଳାଯିବ । ଫାଇନାଲ୍ ଜାନୁଆରି ୨୬ରେ ଆୟୋଜିତ ହେବ । ୮ ଋତୁର ବ୍ୟବଧାନ ପରେ ଭୁବନେଶ୍ବରକୁ ହକି ଇଣ୍ଡିଆ ଲିଗ୍ ଫେରିଥିବାରୁ ରାଜଧାନୀ ହକିପ୍ରେମୀଙ୍କ ପାଇଁ ଏହା ନିଆରା ଅଭିଜ୍ଞତା ପ୍ରଦାନ କରିବ । 

ଓଡ଼ିଶା ଭିତ୍ତିକ ଦଳ କଳିଙ୍ଗ ଲାନ୍‌ସର୍ସ ପୂର୍ବରୁ ଥରେ ଏହି ଲୋକପ୍ରିୟ ଲିଗ୍‌ରେ ବିଜେତା ହୋଇ ସାରିଛି । ଏଥର ଘରୋଇ ପରିବେଶରେ ଏହି ସଫଳତା ଦୋହରାଇ ଦ୍ବିତୀୟ ଥର ବିଜୟ ମୁକୁଟ ପିନ୍ଧିବାକୁ ପ୍ରୟାସ କରିବ । ସେହିଭଳି ଦେଶର ସର୍ବପ୍ରଥମ ଜାତୀୟ ଇନ୍‌ଡୋର ଦୌଡ଼କୁଦ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍‌ରେ ନବନିର୍ମିତ ଇନ୍‌ଡୋର ଆଥଲେଟିକ୍ସ ଷ୍ଟାଡିୟମ୍‌ରେ ଖେଳାଯିବ । ତା’ ସହିତ ଭାରତ ଓ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିହେବ । ଏହି ପ୍ରତୀକ୍ଷିତ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୨୪ ଓ ୨୫ ଦୁଇ ଦିନ ଧରି ଖେଳାଯିବ । ୨୦୨୫ରେ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ର କାଂସ୍ୟ ସ୍ତରୀୟ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍‌ରେ ସଫଳତାର ସହ ଆୟୋଜିିତ ହୋଇଥିଲା ।

ଏହା ବି ପଢ଼ନ୍ତୁ: ୧୫ବର୍ଷରୁ କମ୍‌ ଜାତୀୟ ବାଳିକା ଦିନିକିଆ: ଓଡ଼ିଶା ୭ ୱିକେଟ୍‌ରେ ଜମ୍ମୁ କାଶ୍ମୀରକୁ ହରାଇଲା


 ଏବର୍ଷ କଳିଙ୍ଗ ଷ୍ଟାଡିୟ‌ମ୍‌ରେ ଏହି ସମ୍ମାନଜନକ ପ୍ରତିଯୋଗିତାର ରୌପ୍ୟ ସ୍ତରୀୟ ସଂସ୍କରଣ ଖେଳାଯିବ । ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍, ହକି ଇଣ୍ଡିଆ ଜାତୀୟ ପୁରୁଷ ହକି, ଜାତୀୟସ୍ତରୀୟ ହଫ୍ ମାରାଥନ, ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ମହୋତ୍ସବ, ଇଣ୍ଡିଆନ୍ ଓପନ୍ ପୋଲ ଭଲ୍ଟ, ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଭଳି ପ୍ରତିଯୋଗିତା ଓଡ଼ିଶା କ୍ରୀଡ଼ା କ୍ୟାଲେଣ୍ଡର୍‌କୁ ବେଶ୍‌ ଚଳଚଞ୍ଚଳ ରଖିବ । ଜାତୀୟ କନିଷ୍ଠ ଫେନସିଂ ପ୍ରତିଯୋଗିତା କଟକର ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇ ସାରିଛି । ଲଗାତାର ତିନି ବର୍ଷ ଧରି ବିଶ୍ବ ଭଲିବଲ୍ ମହାସଂଘ ପ୍ରୋ ବିଚ୍ ଟୁର୍ ବି ଓଡ଼ିଶାରେ ଖେଳାଯିବା ସ୍ଥାନୀୟ ଖେଳାଳିଙ୍କ ପାଇଁ ଯାହା ସୁଯୋଗ ଓ ସମ୍ଭାବନାର ନୂଆ ବାଟ ଖୋଲିବ । 


ଜାତୀୟ ଯୁବ ଭଲିବଲ୍ ବି ଭୁବନେଶ୍ବରରେ ଅନୁଷ୍ଠିତ ହେବ । ଆଗାମୀ କ୍ରିକେଟ୍ ଋତୁରେ ଅନେକ ସମ୍ମାନଜନକ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଓଡ଼ିଶାରେ ଦେଖିବାକୁ ମିଳିବ । ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ର ବିକାଶ ଦିଗରେ ଏକ ମାଇଲ୍‌ମୁଣ୍ଟ ସାବ୍ୟସ୍ତ ହୋଇଥିବା ‘ସିଏମ୍ ଟ୍ରଫି’ରେ ଏଥର ତିନିଟି ନୂଆ ଖେଳ କବାଡ଼ି, ଖୋଖୋ ଓ ଭଲିବଲ୍ ସାମିଲ ହୋଇଛି । ଉଭୟ ବାଳକ ଓ ବାଳିକା ବର୍ଗରେ ଏଥରରପ୍ରତିଦ୍ବନ୍ଦ୍ବିତା ହେବା ଆଉ ଏକ ଭଲ ଖବର । ଏବର୍ଷ ପାଖାପାଖି ୩୨,୦୦୦ ପିଲାଙ୍କୁ ‘ସିଏମ୍ ଟ୍ରଫି’ ସହ ଯୋଡ଼ିବାକୁ ରାଜ୍ୟ କ୍ରୀଡ଼ା ବିଭାଗ ଲକ୍ଷ୍ୟ ରଖିଛି । ସେହିଭଳି ଗତବର୍ଷର ‘ସିଏ୍‌ ଟ୍ରଫି’ରୁ ବଛାଯାଇଥିବା ୬୫ଜଣ ୧୫ବର୍ଷରୁ କମ୍‌ ଫୁଟ୍‌ବଲ୍‌ ପ୍ରତିଭାଙ୍କୁ ବିଭିନ୍ନ ଏକାଡେମୀ, କ୍ରୀଡ଼ା ଛାତ୍ରାବାସ ତଥା ଅନ୍ୟାନ୍ୟ କ୍ରୀଡ଼ା କେନ୍ଦ୍ରରେ ରଖିବାର ବ୍ୟବସ୍ଥା କରାଯାଇଛି ।

ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ସହ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଚଳିତବର୍ଷ ଆହୁରି ସୁଦୃଢ଼ ହେବ । ବରଗଡ଼ରେ ଅଲିମ୍ପିକ୍ସ ଆକାରର ସୁଇମିଂ ପୁଲ୍ ଏବଂ ଭୁବନେଶ୍ବରରେ ୨୫ ମିଟର ଲମ୍ବର ଦୁଇଟି ସୁଇମିଂ ପୁଲ୍ ସହ ୩୧୪ ବ୍ଲକ୍‌ରେ ୩୧୪ ଷ୍ଟାଡିୟମ୍ ନିର୍ମାଣର ପରିକଳ୍ପନା ଓଡ଼ିଶା କ୍ରୀଡ଼ାକୁ ଆହୁରି ଗତିଶୀଳ କରିବ । ବ୍ୟକ୍ତିଗତ ଭାବେ ସାଇକ୍ଲିଷ୍ଟ ସ୍ବସ୍ତି ସିଂହ, ବ୍ୟାଡ୍ମିଣ୍ଟନ୍ ତାରକା ବିଶାଖା ଟପ୍ପୋ, କାୟାକିଂ କାନୋଇଂରେ ରଶ୍ମିତା ସାହୁ, ଗଲ୍ଫର କାଶିକା ମିଶ୍ର, ପେନ୍ଚାକ୍ ସିଲାଟ୍ ଖେଳାଳି କାହ୍ନା ବେହେରା, ପ୍ଲିଜାଲିନ ତରାଇ, ସନ୍ତ୍ରରଣ ତାରକା ସୃଷ୍ଟି ଉପାଧ୍ୟାୟ, ବଧିର ଅଲିମ୍ପିଆନ୍ ଲୋମା ସ୍ବାଇଁ, ପାରା ବ୍ୟାଡମିଣ୍ଟନ୍ ରତ୍ନ ପ୍ରମୋଦ ଭଗତ, ଟେବୁଲ୍ ଟେନିସ୍ ଖେଳାଳି ସାର୍ଥକ ଆର୍ଯ୍ୟ, ବ୍ୟାଡ୍‌ମିଣ୍ଟନ୍ ଖେଳାଳି ତନ୍‌ଭି ପତ୍ରୀ, ହକି ଖେଳାଳି ଅନ୍‌ମୋଲ୍ ଏକ୍କା, ସ୍କେଟିଂ ତାରକା ଅନାହିତା ମିଶ୍ର, କାବାଡ଼ି ଖେଳାଳି ପ୍ରିୟଙ୍କା ପ୍ରଧାନ, କ୍ରିକେଟର୍ ସ୍ବସ୍ତିକ ସାମଲ, ଜୁ-ଜିତ୍‌ସୁ ତାରକା ଅନୁପମା ସ୍ବାଇଁ, ଉଷୁ ଖେଳାଳି ଶ୍ବେତାରାଣୀ ମହାନ୍ତ ପ୍ରମୁଖ ଓଡ଼ିଶା କ୍ରୀଡ଼ାକୁ ଆହୁରି ସମୃଦ୍ଧ କରିବାକୁ ପ୍ରୟାସ କରିବେ । ପାରମ୍ପରିକ ଏବଂ ପରିଚିତ ଖେଳ ସହ ଓଡ଼ିଶା କ୍ରୀଡ଼ାବିତ୍ କିଛି ନୂଆ ଖେଳ ଯଥା କୁଡ଼ୋ, ପିକେଲବଲ୍ ,ବୋଚିଆ, ସ୍ଲିଙ୍ଗସଟ୍‌ ବା ବାଟୁଳି, ଭୋଭିନମ, ପାଇଥିଆନ୍ ରିଙ୍ଗ୍ ଟେନିସ୍, ପିଟୁ, ଯୋଗାସନ କ୍ରୀଡ଼ା ଆଦି ଖେଳରେ ନିଜ ଯାଦୁ ଦେଖାଇବାର ସୁଯୋଗ ପାଇବେ । ଡିୟୁଠାରେ ଖେଳାଯାଇଥିବା ଖେଲୋ ଇଣ୍ଡିଆ ବିଚ୍ ଗେମ୍ସର ଦ୍ବିତୀୟ ସଂସ୍କରଣରେ ଓଡ଼ିଶାର ଚାରିଟି ଦଳ ଯଥା ବିଚ୍ ଭଲିବଲ୍, ବିଚ୍ ସକ୍କର, ସିପକ ଟାକ୍ର ଓ ପେନଚାକ୍ ସିଲାଟ୍ ଅଂଶଗ୍ରହଣ କରିବା ମଧ୍ୟ ରାଜ୍ୟ କ୍ରୀଡ଼ାରେ ନୂତନ ଫର୍ଦ୍ଦ ଯୋଡ଼ିଛି । ଓଡ଼ିଶା ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ୭ ପଦକ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୪ କାଂସ୍ୟ) ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଅଣପାରମ୍ପରିକ ଖେଳ ବିଚ୍‌ ସକ୍କରରେ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛି । ତା’ ଛଡ଼ା ପେନାଚାକ୍‌ ସିଲାଟ୍‌ରୁ ୫ ପଦକ ମିଳିଛି । ଅନ୍ୟ ପଦକଟି ସିପକ୍‌ଟାକ୍ର ଦଳ ଜିତିଛି ।

କିଟ୍ ବିଶ୍ବବିଦ୍ୟାଳୟଠାରେ ବିଚ୍ ଭଲିବଲ୍ ଏକାଡେମି ଖୋଲିବା ମଧ୍ୟ ୨୦୨୬ର ଅନ୍ୟତମ ସଫଳ କ୍ରୀଡ଼ା କାହାଣୀ ହୋଇଛି । ଓଡ଼ିଶା ପୁରୁଷ ଥ୍ରୋବଲ୍ ଦଳ ବର୍ଷ ଆରମ୍ଭରୁ ଜାତୀୟ ଥ୍ରୋବଲ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ କ୍ରୀଡ଼ାପ୍ରେମୀଙ୍କୁ ଅନନ୍ୟ ଉପହାର ଦେଇ ସାରିଛି । ବଲାଙ୍ଗୀରଠାରେ ଅନ୍ତର୍ଜାତୀୟସ୍ତରୀୟ ଲନ୍ ବଲ୍ ଷ୍ଟାଡିୟମ୍ ନିର୍ମାଣ ସରିଥିଲା ବେଳେ ଏହାର ଉଦ୍ଘାଟନ ମଧ୍ୟ ରାଜ୍ୟରେ ଏହି ଖେଳର ବର୍ଦ୍ଧିତ ଲୋକପ୍ରିୟତାକୁ ଦର୍ଶାଇବାକୁ ଯାଉଛି । କେବଳ ୨୦୨୬ ନୁହେଁ ଆସନ୍ତା ୧୦ବର୍ଷ ଅର୍ଥାତ୍ ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତାର ୧୦୦ ବର୍ଷ ପୂର୍ତ୍ତି ଏବଂ ଭାରତରେ ଅଲିମ୍ପିକ୍ସ ଖେଳାଯିବାର ଆଶା ଭିତରର ଗୋଟିଏ ଦଶନ୍ଧି ଓଡ଼ିଶା କ୍ରୀଡ଼ା ପାଇଁ ନୂଆ ନୂଆ ସମ୍ଭାବନା ନେଇ ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe