କନକ ବ୍ୟୁରୋ : ଆଇଡବ୍ଲୁଏଲରେ ଆଗାମୀ ସିଜନରେ ଖେଳିବ ନାହିଁ ସ୍ପୋର୍ଟ୍ସ ଓଡିଶା । ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜିକରଣ ନକରିପାରିବାରୁ ଦେଶର ଏକମାତ୍ର ପେସାଦାର ଫୁଟବଲ ଲିଗ୍‌ରୁ ବାହାରି ଯାଇଛି ସ୍ପୋର୍ଟ୍ସ ଓଡ଼ିଶା । ଓଡିଶା ଏଫସି ଭଳି କ୍ଲବ ଏହି ଲିଗରେ ସାମିଲ ହୋଇଥିବା ବେଳେ ସ୍ପୋର୍ଟ୍ସ ଓଡିଶା ହେଉଛି ରାଜ୍ୟ ସରକାରଙ୍କ ଦଳ । ତେଣୁ ଏହି ଟିମ୍ ଭାଗ ନନେଇ ପାରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବରିଷ୍ଠ ଫୁଟବଲ କୋଚ । 

Advertisment

୨୦୨୧-୨୨ ଆଇଡବ୍ଲୁଏଲରେ ପଦାର୍ପଣ କରିଥିଲା ସ୍ପୋର୍ଟ୍ସ ଓଡିଶା । ଏଥିରେ ଦଳ ଚତୁର୍ଥ ସ୍ଥାନରେ ରହିଥିଲା ଏବଂ ଏହା ସହିତ ୨୦୨୨-୨୩ ସଂସ୍କରଣ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲା । ସଂସ୍କରଣରେ ଦଳ କ୍ୱାର୍ଟର ଫାଇନାଲ ଖେଳିଥିଲା । ଏହା ସହ ୨୦୨୩-୨୪ ଓ ୨୦୨୪-୨୫ ସଂସ୍କରଣ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ ସୁଦ୍ଧା ଦଳ ଖେଳିବାରୁ ବଞ୍ଚିତ ହୋଇଛି । ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଭିତ୍ତିଭୂମି ଛିଡା ହୋଇଛି । ଯଦି ଆଇଡବ୍ଲୁଏଲ ଭଳି ଲିଗରେ ଖେଳାଳି ଖେଳି ପାରିବେ ନାହିଁ, ତାହେଲେ କେମିତି ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି ହେବେ, ତାହା ବଡ ପ୍ରଶ୍ନ । କାହିଁକି ଆଇଡବ୍ଲୁଏଲ ପାଇଁ ହୋଇପାରିଲା ନାହିଁ ପଞ୍ଜିକରଣ? ତାହା ଏବେ ତଦନ୍ତ ହେବାର ଆବଶ୍ୟକ ।