କନକ ବ୍ୟୁରୋ : ଆଜି ଜାଗର । ଦେବାଧି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ସଜେଇ ହୋଇଛି ରାଜ୍ୟ ତଥା ଦେଶର ତମାମ ଶିବ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି । ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।
ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ପର୍ବ ଗୁଡ଼ିକ ମଧ୍ୟରୁ ଅନ୍ୟତମ ମହାଶିବରାତ୍ରି । ଜାଗର ତିଥିରେ ରାତି ତମାମ ଉଜାଗର ରହି ପଶୁପତି ମହାଦେବ ଭୋଳାଶଙ୍କରଙ୍କୁ ମନରେ ସ୍ମରଣ କରି ଦୀପ ଜାଳିଥାନ୍ତି ଶ୍ରଦ୍ଧାଳୁ ।
ଏହାଦ୍ବାରା ମନୋସ୍କାମନା ପୂରଣ ସହ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ରହିଛି ବିଶ୍ବାସ । କିମ୍ବଦନ୍ତୀ ଅନୁସାରେ ଆଜିର ଜାଗର ରାତିରେ ଭଗବାନ ସ୍ବୟଂଭୁ ଶିବ ତାଣ୍ଡବ ନୃତ୍ୟ କରିଥାନ୍ତି । ଏଭଳି ପବିତ୍ର ତିଥିରେ ଅନ୍ଧାର ଓ ଅଜ୍ଞାନ ଉପରେ ଧର୍ମ ବିଜୟ ହାସଲ କରିଥାଏ । ହିନ୍ଦୁ ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନ ଆମ ସୌର ମଣ୍ଡଳ ଓ ଆମ ପୃଥିବୀର ଭୌଗୋଳିକ ସ୍ଥିତି ବିଶେଷ ଥାଏ ।
ଅଧିକ ପଢନ୍ତୁ : ଜାଗରରେ ଅବିବାହିତ କରନ୍ତୁ ଏଭଳି ପୂଜା : ପ୍ରସନ୍ନ ହୋଇଯିବେ ହରପାର୍ବତୀ , ମିଳିଯିବେ ମନଲାଖି ଜୀବନସାଥୀ
ପୃଥିବୀର ଉର୍ଜ୍ୱା ପ୍ରାକୃତିକ ରୂପରେ ଉପରକୁ ଉଠେ । ଏହି ସମୟରେ ମଣିଷ ଶୁଦ୍ଧପୁତ ମନରେ ଯୋଗ, ପ୍ରାଣାୟମ ମାଧ୍ୟମରେ ଶିବ ଆରାଧନା କଲେ ଶରୀରରୁ ନକରାତ୍ମକ ଭାବନା ଦୂର ହୋଇ ସକରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ । ଏପଟେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ସୁଦର୍ଶନ ତାଙ୍କ ବାଲୁକାକଳାରେ ପ୍ରାୟ ୧୭ ହଜାର ରୁଦ୍ରାକ୍ଷ ସହ ୫ଶହ ଛୋଟଛୋଟ ଶିବଲିଙ୍ଗ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି । ଏଥିସହ ସୁଦର୍ଶନ ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଭଗବାନ ଶିବଙ୍କ ଏକ ବିଶାଳ ପ୍ରତିମା ନିର୍ମାଣ କରିବା ସହ ବିଶାଳ ଶିବଲିଙ୍ଗ ମଧ୍ୟ ଗଢ଼ିଛନ୍ତି । ବାଲିରେ ପର୍ବତ ନିର୍ମାଣ କରି ତା ଉପରେ ପ୍ରଭୂ ଶିବଙ୍କୁ ବିରାଜମାନ କରାଯାଇଛି ଏବଂ ହର ହର ମହାଦେବ ଓ ହାପି ମହାଶିବରାତ୍ରିର ବାର୍ତ୍ତା ଦିଆଯାଇଛି। ଏହି ବାଲୁକାକଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/15/mahadev-2026-02-15-07-05-28.jpeg)