କନକ ବ୍ୟୁରୋ : ଓଡ଼ିଶାରେ ମଦର ଚାହିଦା ବେଶ ବଢିଛି । ଏନେଇ ବିଧାନସଭାରୁ ଯେଉ ତଥ୍ୟ ଆସିଛି, ତାହା ଚମକେଇ ଦେଲାଭଳି । ନଜର ପକାନ୍ତୁ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ।୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟର ବିକ୍ରି ହୋଇଛି, ସେହିପରି ଦେଶୀ ମଦର ଚାହିଦା ମଧ୍ୟ ବଢିଛି । ୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । ରାଜ୍ୟରେ ମଦ ବିକ୍ରି ବଢ଼ିବା ସାମନାକୁ ଆସିବା ପରେ ଏଥିପାଇଁ କିଏ ଦାୟି ସେ ନେଇ ଦୋଷ ଲଦା ଲଦି ହୋଇଛନ୍ତି ଶାସକ ଓ ବିରୋଧୀ ।
ବଡ କଥା ହେଉଛି, ମଦ ବିକ୍ରି ବଢ଼ିବା ସହ ବଢ଼ିଛି ଅବକାରୀ ରାଜସ୍ୱ । ଏହା ବୃଦ୍ଧି ପାଇ ୨୦୨୩-୨୪ରେ ଅବକାରୀ ରାଜସ୍ବ ୭ ହଜାର ୨୧୬ କୋଟି ୯୯ ଲକ୍ଷ ରେ ପହଞ୍ଚିଛି। ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ୱ । ଦ୍ୱିତୀୟରେ ଗଞ୍ଜାମ ଜିଲ୍ଲାରୁ ୯୬ କୋଟି ୧୦ ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଛି ।