କନକବ୍ୟୁରୋ : ଓଡ଼ିଶା ଚନ୍ଦନ କାଠରେ ବାସ୍ନା ନାହିଁ । ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକ ଚନ୍ଦନ ଚାଷ ପାଇଁ ପ୍ରସିଦ୍ଧ ଥିବାବେଳେ ଏଠାରୁ ବାହାରୁଥିବା ଚନ୍ଦନ ଗଛରେ ବାସନା ବାହାର ରାଜ୍ୟର ଚନ୍ଦନ ଗଛ ବାସନା ତୁଳନାରେ କମ୍ । ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଜଙ୍ଗଲଗୁଡ଼ିକରେ ଥିବା ଚନ୍ଦନ କାଠରୁ ଯେଉଁଭଳି ବାସ୍ନା ହେଉଛି ତାହା ଓଡ଼ିଶାରେ ଥିବା ଚନ୍ଦନ ଗଛରେ ଉପଲବ୍ଧ ହେଉ ନାହିଁ । ଭଲ ବାସ୍ନା ନ ଥିବାରୁ ତାହାର ବଜାର ମୂଲ୍ୟ ମଧ୍ୟ କମ୍ ରହୁଛି । ଯେତେବେଳେ କି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବହୁ ପୁରୁଣା ଚନ୍ଦନ ଗଛର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେଉଛି ସେତେବେଳେ ଓଡ଼ିଶାର ସେହି ଗଛର ମୂଲ୍ୟ ୩୦ରୁ ୪୦ ଲକ୍ଷ ମଧ୍ୟରେ ରହୁଛି ।
କେବଳ ସେତିକି ନୁହେଁ, ସୁଗନ୍ଧ ନ ଥିବାରୁ ଚନ୍ଦନ ଗଛ ରୋପଣ ଦିଗରେ ରାଜ୍ୟ ସରକାର ମଧ୍ୟ ସେତେଟା ଆଗ୍ରହ ଦେଖାଉ ନାହାନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କରିଥିବା ସର୍ଭେ ଅନୁଯାୟୀ ବାସ୍ନା ରହୁଥିବା ଚନ୍ଦନ ଗଛ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାର ଅଧିକାଂଶ ଜଙ୍ଗଲରେ ଚିହ୍ନଟ ହୋଇଛି ।
ତେବେ ଏଠାକାର ଚନ୍ଦନ ଗଛରୁ ବାହାରୁଥିବା କାଠଗୁଡ଼ିକରେ ବାସ୍ନା ପରିମାଣ ୧% ରହୁଛି, ଯେତେବେଳେ କି ତାମିଲନାଡ଼ୁ ଓ କର୍ଣ୍ଣାଟକ ଚନ୍ଦନରେ ଏହି ପରିମାଣ ୪%ରୁ ଅଧିକ ରହୁଛି। ସେଠାକାର ଜଳବାୟୁ ଓ ମାଟି ଚନ୍ଦନର ବାସ୍ନାକୁ ବହୁ ପରିମାଣରେ ବୃଦ୍ଧି କରୁଛି। ଓଡ଼ିଶାରେ ଚନ୍ଦନ କାହିଁକି ଭଲ ବାସୁନି, ତାହା ଉପରେ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ରକ୍ତ ଚନ୍ଦନ କଥା ଦେଖିଲେ ଏବେ କେବଳ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡରେ ହିଁ ଦୃଶ୍ୟମାନ ହେଉଛି, ଯାହାର ସଂଖ୍ୟା ବହୁତ କମ୍। ବନଖଣ୍ଡର ଲାବଣ୍ୟଗଡ଼ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟ୍ରେ ରକ୍ତଚନ୍ଦନ ଗଛ ରହିଛି। ବନଖଣ୍ଡର ଆଉ କିଛି ସ୍ଥାନରେ ବିକ୍ଷିପ୍ତ ଭାବେ ରକ୍ତ ଚନ୍ଦନ ଗଛ ରହିଥିବା କୁହାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ।
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/12-2026-02-09-09-10-50.jpg)