କନକ ବ୍ୟୁରୋ: ୧୮୯୭ ମସିହା ଜାନୁଆରି ୨୩ । ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିଥିଲେ ଭାରତ ମାତାର ପରାକ୍ରମୀ ପୁଅ । ଆଜି ସେଇ କଟକସ୍ଥିତ ଜନ୍ମସ୍ଥଳୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିବା ବେଳେ, ସେଥିରେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୁଖ । ସେପଟେ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
ପରାକ୍ରମ ଦିବସରେ ଓଡ଼ିଶା ମନେ ପକାଇଲା ୨ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ପରାକ୍ରମ । ମହାସମାରୋହରେ ରାଜ୍ୟ ପାଳିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । କଟକସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଛି ଭବ୍ୟ ସମାରୋହ । ଏଥିରେ ଯୋଗ ଦେଇ, ଜାତୀୟ ପତାକା ଉତ୍ତୋଳନ, ମାଲ୍ୟାର୍ପଣ ସହ ସ୍ୱତନ୍ତ୍ର ଡାକଟିକେଟ୍ ଉନ୍ମୋଚନ କରିଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ । କଟକର ଜାନକୀନାଥ ଭବନ ପ୍ରତ୍ୟେକ ଦେଶପ୍ରେମୀଙ୍କ ପାଇଁ ତୀର୍ଥଭୂମି ବୋଲି କହିଛନ୍ତି ।
ଅଧିକ ପଢନ୍ତୁ: ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି : ଭାରତକୁ ବ୍ରିଟିଶ ସାମ୍ରାଜ୍ୟ ମୁକ୍ତ କରିବା ପାଇଁ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ଆହ୍ୱାନ
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ ଏହି ସମାରୋହରେ । କଟକରେ ୨୨୦ କୋଟି ଟଙ୍କା ବ୍ୟୟରେ ମହାନଦୀ ରିଭରଫ୍ରଣ୍ଟ୍ କାମ ଆରମ୍ଭ ହେବ । କଟକ ଚଣ୍ଡୀମନ୍ଦିରର କାର୍ଯ୍ୟ ଆଉ କିଛି ମାସ ଭିତରେ ଶେଷ ହେବ । କଟକ ଶିଶୁଭବନ ନୂଆ ରୂପ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ସମ୍ବଲପୁରରେ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ବାଇକ ରାଲି। ପ୍ରଥମେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡାରୁ ସ୍ୱତନ୍ତ୍ର ମଶାଲ ସମ୍ବଲପୁରକୁ ଅଣାଯାଇଥିଲା। ପରେ ଅଇଁଠାପାଲି ସ୍ଥିତ ପିଏଚଡି ପଡ଼ିଆରୁ ଜେଲ ଛକ ସ୍ଥିତ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା ହୋଇଛି। ଏଥିରେ ଦଳମତ ନିର୍ବିଶେଷରେ ସ୍ଥାନୀୟ ରାଜନେତା, ଶତାଧିକ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଅବସରପ୍ରାପ୍ତ ଯବାନ ସାମିଲ ହୋଇଥିଲେ । ସମ୍ୱଲପୁରରେ ଏହି ଅବସରରେ ଅନୁଷ୍ଠିତ ହୋଇଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/subhas-chandra-bose-2026-01-23-20-07-18.jpg)