କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ରାଜନୀତି କରିବାକୁ ଭୁଲି ନାହାନ୍ତି ନେତା । ବିଜେପି ରାଜ୍ୟ ସଭାପତି ଅଭିଶପ୍ତ ୨୪ ବର୍ଷ ଓଡ଼ିଶା ବୟାନ ଦେଇ ବିବାଦ ବଢାଇଛନ୍ତି । ସେପଟେ ବିଜେଡି ସୁପ୍ରିମୋ କହିଛନ୍ତି ୨ହଜାରରୁ ୨୦୨୪ ଓଡ଼ିଶା ପାଇଁ ଥିଲା ସୁବର୍ଣ୍ଣ ଯୁଗ । ଅନ୍ୟପଟେ କଂଗ୍ରେସ ମଧ୍ୟ ବାୟନ ବାଜିରୁ ଦୁରେଇ ରହିନାହିଁ । ବିଜେପି ଓ ସଂଘକୁ ଟାର୍ଗେଟ୍ କରି ସମ୍ୱିଧାନ ବିପଦରେ ଥିବା କହି ସମସ୍ତଙ୍କୁ ଏକଜୁଟ ହୋଇ ଲଢେଇ କରିବାକୁ ଦଳ ଆହ୍ୱାନ ଦେଇଛି । 

Advertisment

ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା। ଓଡ଼ିଶାରେ ଶାସନର ପରିବର୍ତ୍ତନ ହୋଇଛି। ଏଥର ସୁଯୋଗ ମିଳିଛି ଆମେ ସମସ୍ତେ ମିଶି ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା। ସେପଟେ ଶଙ୍ଖ ଭବନରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଜେଡି ସୁପ୍ରିମୋ କହିଛନ୍ତି ଏକ ଦଶନ୍ଧିରେ ରାଜ୍ୟର ବହୁ ଉନ୍ନତି ହୋଇଛି। ୨୦୦୦ରୁ ୨୦୨୪ ମଧ୍ୟରେ ଅନେକ ବିକାଶ ହୋଇଛି। ଏବେ ଭାରତ ସରକାରଙ୍କ ନୀତି ଆୟୋଗ ମଧ୍ୟ ଓଡ଼ିଶାର କାମକୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ସଭାପତିଙ୍କ ଅଭିଶପ୍ତ ୨୪ବର୍ଷ ଓଡିଶା ବୟାନ ଉପରେ କଡ଼ା ଜବାବ ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର। 

କଂଗ୍ରେସ ଭବନରେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଏହି ଅବସରରେ ସମ୍ବିଧାନକୁ ନେଇ ବିଜେପି ଓ ଆରଏସ୍‌ଏସ୍‌କୁ ସେ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେଉଁମାନେ ପୂର୍ବରୁ ସମ୍ବିଧାନକୁ ମାନୁ ନଥିଲେ ଆଜି ମଧ୍ୟ ସମ୍ମାନ ଦେଉନାହାନ୍ତି। ଆରଏସ୍‌ଏସ୍‌ ମୁଖ୍ୟ କହୁଛନ୍ତି ରାମ ମନ୍ଦିର ହେଲା ପରେ ଭାରତ ସ୍ୱାଧୀନ ହୋଇଛି। ଏବେ ସମ୍ବିଧାନ ବିପଦରେ ଅଛି। ସମସ୍ତେ ଏକଜୁଟ ହୋଇ ଲଢେଇ କରିବାକୁ ରାମଚନ୍ଦ୍ର କାଡାମ ଅପିଲ କରିଛନ୍ତି । 

ସାଧାରଣତନ୍ତ୍ର ଦିବସରେ ବିକାଶ ପ୍ରସଙ୍ଗକୁ ନେଇ ନେତାଙ୍କ ବୟାନବାଜି ରାଜ୍ୟ ରାଜନୀତି ସରଗରମ କରିଛି। ଅନ୍ୟ ଦଳର ଦୋଷ ତ୍ରୁଟି ଦେଖାଇ ମାଇଲେଜ ନେବାକୁ ନେତା ଉଦ୍ୟମ କରିଛନ୍ତି ।