କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରୁ କମ୍ପିବ ଓଡ଼ିଶା ରାଜନୀତି । ବର୍ଷ ପୂର୍ତ୍ତି ସରକାରର ସେଲିବ୍ରେସନ୍ ପ୍ରସ୍ତୁତିକୁ ବିଜେପି ଜୋରଦାର କରିଥିବା ବେଳେ ଲୋକଙ୍କ ପାଖରେ ବର୍ଷକର ସଫଳତା ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି ଦଳ । ହେଲେ ଏହାକୁ ଜୋରଦାର କାଉଣ୍ଟର କରିବାକୁ ଶଙ୍ଖ ଭବନରେ ସବୁ ନେତାଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । କଥା ଦେଇ ବ୍ୟଥା ଦେଲା ବିଜେପି ସରକାର ଏଭଳି ସ୍ଲୋଗାନ ଦେଇ ଗାଁ ଗାଁକୁ ଯିବେ ବିଜେଡି ନେତା । ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ଜନଜାଗରଣ ସମାବେଶ କରି ବିଜେପିର ମୁଖା ଖୋଲିବାକୁ ସଜବାଜ ହେଉଛି ବିଜେଡି । ନୂଆ ସରକାରକୁ ନବୀନଙ୍କ ନିଶାନା । କହିଲେ , ‘ଭାଷଣ ଓ ବିଜ୍ଞାପନରେ ବିକାଶ ହୁଏନି’ । ସ୍ବାସ୍ଥ୍ୟ, ମହିଳା, ଚାଷୀଙ୍କ କଥା ଉଠାଇ ମୋହନ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

Advertisment

କାହିଁକି ବନ୍ଦ ହେଲାନି କଟନି ଛଟନି?
ମିଲର୍‌ଙ୍କ ଦୟାରେ ଏବେ ଚାଷୀ
ମିସନ ଶକ୍ତି ଅଭିଯାନକୁ ଦୁର୍ବଳ କରାଯାଇଛି
ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି 

ନୂଆ କମିଟି ଗଠନ ପରେ ଏହା ଥିଲା ଦଳର ପ୍ରଥମ ରାଜ୍ୟସ୍ତରୀୟ ବୈଠକ । ତୃଣମୂଳସ୍ତରର ନେତାଙ୍କ ଠାରୁ ରାଜ୍ୟସ୍ତରୀୟ ନେତାଙ୍କୁ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ ନବୀନ । ହେଲେ ଅନେକ ତୁଙ୍ଗ ନେତା ଆଜିର ବୈଠକରେ ସାମିଲ ହୋଇନଥିଲେ । ରାଜା ସ୍ବାଇଁ, ମୁନା ଖାଁ, ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା, ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାଙ୍କ ଅନୁପସ୍ଥିତି ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଆଗକୁ ବିଜେପି ବିରୋଧରେ କିଭଳି ଲଢୁଛି ବିଜେଡି ତା’ ଉପରେ ସମସ୍ତଙ୍କର ନଜର । କାରଣ ବିଜେଡିର ସ୍ପଷ୍ଟ ଆଭିମୁଖ୍ୟକୁ ନେଇ ଏବେ ବି ଦଳର ନେତା ଓ କର୍ମୀ ଦ୍ବନ୍ଦ୍ବରେ ।