କନକ ବ୍ୟୁରୋ: ଭରତପୁର ଥାନାରେ କଣ ଘଟିଥିଲା, ସେନେଇ ସତ୍ୟପାଠ ଜରିଆରେ ଜଣାଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମନିଶନଙ୍କ ନିକଟରେ ଏହି ସତ୍ୟପାଠ ଦାଖଲ ହୋଇଛି । ସେଦିନ ରାତିରେ ସେମାନଙ୍କ ସହ କଣସବୁ ଘଟିଥିଲା ସେନେଇ ଲିଖିତ ଭାବେ ଜଣାଇଛନ୍ତି ।  

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ।  ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନକଟରେ ଏଯାଏଁ ପ୍ରାୟ ୨୦୦ ସତ୍ୟପାଠ ଦାଖଲ ହୋଇଛି । ସତ୍ୟପାଠ ଦାଖଲ ଅବଧି ଆସନ୍ତାକାଲି ଶେଷ ହେଉଥିଲା । ତେବେ ଆସନ୍ତା ମାସ ୮ ତାରିଖ ପର୍ୟ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି  । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ 

ଭରତପୁର ଥାନା ଘଟଣାରେ ବିଭିନ୍ନ ମହଲରେ ଲଜ୍ଜିତ ହେବା ପରେ କମିଶନରେଟ ପୋଲିସର ଚେତା ପଶିଛି । ଏଣିକି ସମସ୍ତ ଥାନା ରିସେପଶନରେ ବସୁଥିବା ପୋଲିସ ଅଧିକାରୀ ବା ଡିସିଓମାନେ ପିନ୍ଧିବେ ଏହି ବଡି କ୍ୟାମେରା । ଫଳରେ ଥାନାକୁ ଆସି ହଙ୍ଗାମା କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଏହି କ୍ୟାମେରାରେ କଏଦ ହୋଇ ରହିବ । ଆବଶ୍ୟକ ସ୍ଥଳେ ପୋଲିସ ଏହାକୁ ପ୍ରମାଣ ଭାବେ ବ୍ୟବହାର କରିବ । 

ବଡି କ୍ୟାମେରାରେ ଅଛି କ'ଣ ?  

  • ଏହି କ୍ୟାମେରାରେ ରହିଛି ଏକ ପ୍ୟାନିକ ବଟନ
  • ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଉପସ୍ଥିତ ପୋଲିସ ଏହି ବଟନକୁ ଚିପିବେ
  • ବଟନ ଚିପିବା କ୍ଷଣି ଆରମ୍ଭ ହୋଇଯିବ ଭିଡିଓ ଏବଂ ଅଡିଓ ରେକର୍ଡିଂ
  • ରେକର୍ଡିଂ ଆରମ୍ଭ ହେବା ସହ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଯିବ ସ୍ୱତନ୍ତ୍ର ନୋଟିଫିକେସନ
  • କମିଶନର, ଅତିରିକ୍ତ କମିଶନର, ଡିସିପି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଘଟୁଥିବା ଘଟଣା ଫୋନରେ ଲାଇଭ ଦେଖିପାରିବେ
  • ପ୍ରାୟ ୧ ମାସ ଧରି ରେକର୍ଡ ହୋଇଥିବା ଭିଡିଓ ବ୍ୟାକଅପ୍‌ ରହିପାରିବ
  • ରେକର୍ଡ ହୋଇଥିବା ଭିଡିଓକୁ କୋର୍ଟରେ ପ୍ରମାଣ ହିସାବରେ ବ୍ୟବହାର କରାଯାଇପାରିବ

ଭରତପୁର ଘଟଣାରେ ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି । ଆଉ ଏହାରି ଭିତରେ କମିଶନରେଟ ପୋଲିସ ନିଜ ଥାନା ସୁଧାରିବାକୁ ଚେଷ୍ଟା ଚଲାଇଛି । ସିସିଟିଭି ନଥିବା ଥାନାରେ ସିସିଟିଭି ଲଗାଇବା ସହ ପୋଲିସ ଅଧିକାରିଙ୍କୁ ବଡି କ୍ୟାମେରା ପିନ୍ଧାଇବା ଭଳି ଯୋଜନା ହାତକୁ ନେଇଛି ।