କନକ ବ୍ୟୁରୋ:  ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଗଣମାଧ୍ୟମରେ ଖବର ପ୍ରସାରଣର ତିନି ଦିନ ପରେ ତତ୍ପର ହୋଇଛି ଓଡ଼ିଶା ପୁଲିସ । ଘଟଣାରେ ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କରିଛନ୍ତି ଓଡିଶା ଡିଜିପି ଯୋଗେଶ ବହାଦୁର ଖୁରାନିୟା । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି ଯେ ଓଡ଼ିଶା ପୁଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ପାଇଁ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଇଛି ଓ ସେପଟେ ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜକୁ ନେଇ ଛାନଭିନ କରୁଛି ଦିଲ୍ଲୀ ପୁଲିସ । ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣା ପଡିଛି । ଗତ ୧୦ ଏବଂ ୧୧ ତାରିଖ ରାତିରେ ଦିଲ୍ଲୀ ସାଉଥ ଇଷ୍ଟର ସରାଇ କଲେ ଖାନ ଫ୍ଲାଏ ଓଭର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୪ ବର୍ଷୀୟ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ବର୍ଷେ ଧରି ଦିଲ୍ଲୀରେ ରହିଆସୁଥିଲେ ପୀଡ଼ିତା । ହେଲେ ଗତ ମାସେ ଧରି ଯୁବତୀ କୁଆଡ଼େ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଏକ ନିଖୋଜ ମାମଲା କରାଯାଇଥିଲା । ଏନେଇ ବିଏନଏସର ଦଫା ୭୦(୧)ରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରାଯାଉଛି । ଘଟଣା ପୂର୍ବରୁ ଦୁଇଦିନ ସେ ଏକ ଏଟିଏମ୍ ପାଖରେ ତାଙ୍କୁ ଦେଖିବାକୁ ମିଳିଥିବା ପୁଲିସ ସୂତ୍ରରୁ ଖବର ମିଳିଛି। ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ବର୍ତ୍ତମାନ ଦୁଷ୍କର୍ମ ପୀଡ଼ିତା ଚିକିତ୍ସିତ ହେଉଛନ୍ତି । 

Advertisment

ଏପଟେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ବିଜେଡି, ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସୁଭାଶିଷ ଖୁଣ୍ଟିଆ ସୋସିଆଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଡବଲ ଇଞ୍ଜିନ ସରକାର ଥାଇ ଦେଶର ରାଜଧାନୀ ଓ ଗୃହ ମନ୍ତ୍ରାଳୟର ନାକ ତଳେ ଏଭଳି ଲଜ୍ଜାଜନକ ଘଟିବା ଅତ୍ୟନ୍ତ ନିନ୍ଦନୀୟ । ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ । ଘଟଣା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଓଡ଼ିଶା ବିଜେପି ପକ୍ଷରୁ ପଦୁଟିଏ ନକହିବା ଆଶ୍ଚର୍ଯ୍ୟ କରିଥିବା ବିଜେଡି ସାଂସଦ କହିଛନ୍ତି । ଏଭଳି ଏକ ଲୋମହର୍ଷଣକାରୀ ଘଟଣାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ବିଜେପିର କୌଣସି ଚିନ୍ତା ନଥିବା କହି ଶାସକ ଦଳକୁ ଘେରିଛନ୍ତି ବିଜେଡି ସାଂସଦ । ଏହାସହ ଘଟଣାର ତୁରନ୍ତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିରୋଧୀ ଦଳ ।