କନକବ୍ୟୁରୋ: ଆଜିଠୁ ଓଡ଼ିଶା ନର୍ସିଂ ସଂଘର ଅନିର୍ଦ୍ଧିଷ୍ଟ କାଳ ଯାଏଁ ଅହୋରାତ୍ର ଧାରଣା। ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସିରିଞ୍ଜ ଛାଡ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜିଠୁ ଅହୋରାତ୍ର ଧାରଣା ଦେବେ। ୧୫ହଜାର ନର୍ସଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ରୋଗୀ ସେବା ପ୍ରଭାବିତ।  ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛି ସଂଘ।

Advertisment

ଏସମାକୁ ଖାତିର ନକରି ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ ସଂଘ। ଆନ୍ଦୋଳନରୁ ଓହରିବା ପାଇଁ ନର୍ସିଂ କର୍ମଚାରୀଙ୍କୁ ସରକାର କରିଥିବା ଅପିଲର ମଧ୍ୟ କୌଣସି ପ୍ରଭାବ ପଡିନାହିଁ । ୧୦ ଦଫା ଦାବିରେ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସ୍ବାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ସରକାରୀ ଡାକ୍ତରଖାନାରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । 

ସିରିଞ୍ଜ ଛାଡ ଆନ୍ଦୋଳନ ପୂର୍ବରୁ ନର୍ସିଂ କର୍ମଚାରୀ ଦୁଇ ଦିନ ଜରୁରୀକାଳୀନ ସେବା ଯୋଗାଇ ଦେଇଥିଲେ ।  କିନ୍ତୁ ଗତକାଲିଠୁ ସଂପୂର୍ଣ୍ଣ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଓ ନର୍ସିଂ କର୍ମଚାରୀଙ୍କ ଜିଦ୍ ଯୋଗୁଁ ବାଜିରେ ଲାଗିଛି ରୋଗୀଙ୍କ ଜୀବନ । ସେପଟେ ସରକାର ସ୍ବାସ୍ଥ୍ୟସେବାରେ କିପରି ବ୍ୟାଘାତ ନ ଆସିବ, ସେଥିପାଇଁ ଟ୍ରେନି ନର୍ସ ଛାତ୍ରଛାତ୍ରୀଙ୍କୁ କାର୍ୟ୍ୟରେ ନିୟୋଜିତ କରାଯାଇଛି ।

ହେଲେ ରୋଗୀଙ୍କୁ ସାଲାଇନ କେମିତି ଚଢ଼ାଯିବ, ଇଞ୍ଜେକ୍ସନ କେମିତି ଦିଆଯିବ ଓ ରକ୍ତ ନମୁନା କିପରି ସଂଗ୍ରହ କରାଯିବ, ସେ ବିଷୟରେ ଟ୍ରେନି ନର୍ସ ସଠିକ୍ ଭାବେ ଜାଣିନାହାନ୍ତି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସାମ୍ନା କରିଛନ୍ତି । ସେପଟେ ଆନ୍ଦୋଳନ ନକରି କାମକୁ ଫେରିବାକୁ ଅପିଲ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହା ସତ୍ତ୍ବେ ନିଜ ଜିଦରେ ଅଟଳ ନର୍ସିଂ ସଂଘ। ସେହିପରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ ମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଗ୍ରାମଂଚଳରେ କାମ କରୁଥିବା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡେପୁଟିସନରେ ଆଣି ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି  

ମେଡିକାଲ କତୃପକ୍ଷ । ଆଗକୁ ଏହିଭଳି ଆନ୍ଦୋଳନ ଜାରି ରହିଲେ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଦେଖା ଦେଇପାରେ ।  ଏନା କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି ।  

ଏଜେନ୍ସି ସେବୀକା କକ୍ଷରେ ନାହାନ୍ତି ନର୍ସ । ଆଜିଠୁ ସିରିଞ୍ଜ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନର୍ସିଂ ଅଫିସର । ସରକାର ଓ ନର୍ସିଂ ଅଫିସରଙ୍କ ଜିଦ୍ ପାଇଁ ଏବେ ବାଜିରେ ଲାଗିଛି ରୋଗୀଙ୍କ ଜୀବନ । ୧୦ ଦଫା ଦାବି ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର ।  ଏସମା ଲାଗୁ ହେବା ସତ୍ତ୍ବେ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।