କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ  ସଙ୍କଟ ସୃଷ୍ଟି ହେଲାଣି । ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦର ବୃଦ୍ଧି କଥା ମାନିବାକୁ ନାରାଜ ମନ୍ତ୍ରୀ । ଏଥିସହ ପଶ୍ଚିମବଙ୍ଗରୁ ଆଉ ଆଳୁ ମଗାଯିବନି ଓ ଉତ୍ତରପ୍ରଦେଶରୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ ଯଦି ଆଳୁ ଛାଡିବ ତେବେ ମନା କରାଯିବନାହିଁ । 

Advertisment

ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିବାର ଦୁଇଦିନ ବିତିଗଲାଣି ।  ଆଳୁ ଦର ବି ଦୁଇଦିନରେ ପ୍ରାୟ ୧୦ ଟଙ୍କା ବଢିଗଲାଣି । କିଲୋ ପିଛା ଦର ୪୦ ଟଙ୍କାରେ ପହଞ୍ଚିଛି । ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି।  ହେଲେ ଆଳୁ ଦର ବୃଦ୍ଧି କଥାକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ଆଜି ସେ ନିଜେ ୩୦ଟଙ୍କାରେ ଆଳୁ କିଣିଛନ୍ତି ବୋଲି କହିଛନ୍ତି । ଏଥିସହ ପଶ୍ଚିମବଙ୍ଗକୁ ଆଜି କଡା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । 

କୃଷ୍ଣ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ । ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି । ଉତ୍ତରପ୍ରଦେଶରେ ୨୨ଟଙ୍କାରେ ଆଳୁ ମିଳୁଛି ଭଡା ୪ ଟଙ୍କା ପଡୁଛି । ମମତାଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ କୁହାଯାଇଛି।  

ଗୋଟିଏ ପଟେ ଗୋଦାମରୁ ଧିରେ ଧିରେ ଆଳୁ ସରି ଆସିଲାଣି । ସେପଟେ  ଭୁବନେଶ୍ୱର ଆଇଗିଣିଆ, କଟକ ଛତ୍ରବଜାର ଆଳୁଗଦିକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁନାହିଁ ।  ଏହାଛଡା ପଶ୍ଚିମବଙ୍ଗ ଅପେକ୍ଷା ୟୁପିରୁ ଆସୁଥିବା ଆଳୁରେ ପାଇକାରୀ ଦର ଅଧିକ ଥିବାରୁ ବ୍ୟବସାୟୀ ଓ ଖାଉଟିଙ୍କୁ ଚିନ୍ତାରେ ପକାଇଛି।