କନକ ବ୍ୟୁରୋ: ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲରେ ଡାକ୍ତରୀ ଛାତ୍ରଙ୍କୁ ଗଣଦୁଷ୍କର୍ମ ଘଟଣା । ଗିରଫ ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଦୁର୍ଗାପୁର ପୁଲିସ । ରିମାଣ୍ଡ ଅବଧିରେ ଘଟଣା ସଂପର୍କରେ ଖୋଲତାଡ଼ କରିବ ପୁଲିସ । ତିନି ଅଭିଯୁକ୍ତଙ୍କ ଗିରଫ ପରେ ଆଜି(ରବିବାର) ଦୁର୍ଗାପୁର କୋର୍ଟକୁ ଚାଲାଣ କରାଯାଇଥିଲା । କୋର୍ଟରେ ହାଜର କରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ । କୋର୍ଟଙ୍କ ଅନୁମତି ପରେ ତିନି ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । ସେପଟେ ଫେରାର୍ ଥିବା ଅନ୍ୟ ୨ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି । ଗିରଫ ତିନି ଅଭିଯୁକ୍ତଙ୍କୁ ଦୁର୍ଗାପୁର କୋର୍ଟକୁ ଚାଲାଣ କରାଯାଇଛି । ସାରା ଦେଶରେ ହଇଚଇ ଖେଳାଇ ଦେଇଥିବା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୁଲିସ ତନାଘନା ଚଳାଇଛି । ଆଜି ଆସନସୋଲ ଦୁର୍ଗାପୁର ପୁଲିସ କମିସନର ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି ।
ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ରହିଛି । ଅଭିଯୋଗ ଅନୁସାରେ ପୁରୁଷ ବନ୍ଧୁଙ୍କ ସହ ଛାତ୍ରୀ ଜଣକ କ୍ୟାମ୍ପସ ବାହାରେ ଚାଲୁଥିବା ବେଳେ କିଛି ଦୁର୍ବୃତ୍ତ ପିଛା କରିଥିଲେ । ଭୟରେ ପୁରୁଷବନ୍ଧୁ ଦୌଡ଼ି ପଳାଇଥିବା ବେଳେ ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୁରୁଷ ବନ୍ଧୁଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଉପୁଜିଛି । ଆଜି ସକାଳୁ ଦୁର୍ଗାପୁରର ସେହି ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି ପୁଲିସ ।
ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆରମ୍ଭ ହୋଇଛି ବିକ୍ଷୋଭ ପ୍ରଦର୍ଶନ । ନ୍ୟାୟ ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଆର୍ଜିକର୍ ମେଡିକାଲ ଘଟଣା ମନରୁ ଲିଭିନଥିବା ବେଳେ ଦୁର୍ଗାପୁର ଅଘଟଣକୁ ନେଇ ତାତି ଉଠିଛନ୍ତି ଛାତ୍ରଛାତ୍ରୀ । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।
ସେପଟେ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଘଟଣାକୁ ନେଇ ଦେଇଛନ୍ତି ଏକ ଦାୟିତ୍ୱହୀନ ମନ୍ତବ୍ୟ । ଏହି ଘଟଣାରେ ତାଙ୍କ ସରକାର ଗୁରୁତ୍ବର ସହ ନେଇଛନ୍ତି । ତଦନ୍ତକାରୀ ଟିମ୍ ତଦନ୍ତ ଚଳାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ସରକାର କୌଣସି ଢିଲାପଣ ରଖିବନି । ବରଂ ଦୋଷୀଙ୍କୁ କଠୋରରୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି । ଏହାସହ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଛାତ୍ରୀଙ୍କ ସୁରକ୍ଷା ପାଇଁ ସେମାନେ ଯଥେଷ୍ଟ ଧ୍ୟାନ ଦେବା ଉଚିତ । ତେବେ ଏସବୁ ଭିତରେ ମମତାଙ୍କ ଆଉ ଏକ ମନ୍ତବ୍ୟ ବିବାଦ ବି ସୃଷ୍ଟି କରିଛି । ମମତାଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ହେଲାଣି । କାରଣ ମମତା କହିଛନ୍ତି, ରାତି ୧୨ଟା ୩୦ ପରେ ମେଡିକାଲ ଛାତ୍ରୀ ଜଣକ କାହିଁକି ବାହାରକୁ ବାହାରିଥିଲେ। ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ । ଏହି ଘଟଣା ପାଇଁ ଦାୟୀ କିଏ ବୋଲି ମମତା ଓଲଟା ପ୍ରଶ୍ନ କରିଛନ୍ତି ?