କନକ ବ୍ୟୁରୋ : ଖସିପାରିବେନି ଦୁର୍ନୀତିଖୋର । ଏଥିପାଇଁ ଲୋକାୟୁକ୍ତ ସାଜିଥିଲା ବଡ଼ ଅସ୍ତ୍ର । ହେଲେ ଗତ ୧୬ ମାସ ହେବ ଓଡ଼ିଶାରେ ଦେଖିବାକୁ ମିଳିଛି ବିଷମ ସ୍ଥିତି । କୋମାକୁ ଚାଲିଗଲାଣି ଲୋକାୟୁକ୍ତ, ନିଯୁକ୍ତି ଦେବାକୁ ଯେମିତି ଭୁଲିଗଲେଣି ସରକାର । ଯାହା ଦୁର୍ନୀତିଖୋରଙ୍କୁ ବେଶ୍ ସୁହାଉଛି । ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୋହନ ସରକାର । ପ୍ରତ୍ୟେକ ଦିନ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି କୁବେର ବାବୁ । ଏଥିପାଇଁ ସରକାର ବାହାବା ନେଉଛନ୍ତି ହେଲେ ଦୁର୍ନୀତିଖୋରଙ୍କୁ ଧରିବାକୁ ଥିବା ସଂସ୍ଥା ୧୬ ମାସ ଧରି ପୂରା କୋମାରେ ପଡ଼ିଛି । ୨୦୨୪ ମାର୍ଚ୍ଚ ୧୪ ପରଠାରୁ ଲୋକାୟୁକ୍ତ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି । ଅଗଷ୍ଟ ୭ରୁ ଜଣେ ବି ସଦସ୍ୟ ଶୂନ୍ୟ ହୋଇପଡ଼ିଛି ଲୋକାୟୁକ୍ତ। ହଜାର ହଜାର ଦୁର୍ନୀତି ମାମଲା ବିଚାର ହୋଇପାରୁନି ହେଲେ ସରକାରଙ୍କର ଏଥିପ୍ରତି ଯେପରି ଆଦୌ ନିଘା ନାହିଁ ।
ନିୟମ ଅନୁସାରେ ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ସର୍ଚ୍ଚ କମିଟି ହୋଇଥାଏ । ଏହି କମିଟି ହିଁ ଲୋକାୟୁକ୍ତ ଓ ସଦସ୍ୟ ନିଯୁକ୍ତି ନେଇ ସରକାରଙ୍କୁ ସୁପାରିସ କରିଥାଏ । ହେଲେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଲୋକାୟୁକ୍ତ ନିଯୁକ୍ତିକୁ ଭୁଲି ଯାଇଥିଲା ବିଜେଡି ସରକାର। ନୂଆ ସରକାର ମଧ୍ୟ ଏବେ ସମାନ ରାସ୍ତାରେ । ସରକାରକୁ ୧୩ ମାସ ପୂରିଛି ହେଲେ ଲୋକାୟୁକ୍ତ ନିଯୁକ୍ତି ନେଇ ତତ୍ପରତା ଦେଖାଇନାହାନ୍ତି ସରକାର । ଯାହାକୁ ନେଇ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ଉଭୟ ଶାସକ-ବିରୋଧୀ । ଦୁର୍ନୀତିର ଚେର ଉପାଡ଼ିବାକୁ ୨୦୧୪ରେ ଦେଶରେ ଗଢ଼ାଯାଇଥିଲା ଲୋକପାଳ ଓ ରାଜ୍ୟରେ ଗଠନ ହୋଇଥିଲା ଲୋକାୟୁକ୍ତ । ହେଲେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ଆନ୍ତରିକତା ଅଛି ତ?