କନକ ବ୍ୟୁରୋ: ସହରୀକରଣରେ ଆଗେଇପାରିଲାନି ରାଜ୍ୟ । ମହାନଗର ନିଗମ ଘୋଷଣାରେ ପଛରେ ପଡିଛି ଓଡିଶା । ୫ଟି ମହାନଗର ନିଗମ ମଧ୍ୟରୁ କେବଳ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ନିର୍ବାଚିତ ପରିଷଦ ଅଛି । କିନ୍ତୁ ମହାନଗର ନିଗମ ଘୋଷଣାର ଏକ ଦଶନ୍ଧି ପରେ ବି ମେୟର ଦେଖିପାରିଲେନି ସମ୍ବଲପୁର ଓ ରାଉରକେଲା ବାସିନ୍ଦା ।  

Advertisment

ରାଉରକେଲା, ସମ୍ବଲପୁର, ପୁରୀ (ଥ୍ରୀ ୱିଣ୍ଡୋ) ଏହି ତିନୋଟି ସହରବାସୀ ପଚାରିଲେଣି ସରକାରଙ୍କୁ ପ୍ରଶ୍ନ । ମହାନଗର ନିଗମ ନେଇ ଘୋଷଣା ହୋଇଛି ସତ କିନ୍ତୁ କେବେ ପାଇବେ ନିଗମର ପରିଚୟ? ଏହି ସବୁ ସହରକୁ କେବେ ଫେରିବ ଗଣତନ୍ତ୍ର? ମହାନଗର ନିଗମ ପାଇଁ ନିର୍ବାଚନ ହେବ, ଲୋକଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ସହରର ବିକାଶ ପାଇଁ କାର୍ଯ୍ୟ କରିବେ? ପ୍ରଶାସନିକ ଅଧିକାରୀଙ୍କ ଇଛା ଅନୁସାରେ ଆଉ ଚାଲିବନି ସହରର ବିକାଶମୂଳକ କାର୍ଯ୍ୟ । କାରଣ ୨୦୧୪ରୁ ଘୋଷଣା ହୋଇଥିଲେ ବି ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ମେୟର ଦେଖିପାରୁନି । ପୁରୀ କଥା ମଧ୍ୟ ଘୋଷଣାରେ ଅଟକିଛି ।   

ବାଲେଶ୍ୱର ପୌରପାଳିକାକୁ ମଧ୍ୟ ୧୦୦ ବର୍ଷ ବିତିଲାଣି । ମହାନଗର ନିଗମ ପାଇଁ ସବୁ ମାପଦଣ୍ଡ ପୂରଣ କରୁଛି ବାଲେଶ୍ବର । କିନ୍ତୁ ବାରମ୍ୱାର ଦାବି ସତ୍ତ୍ବେ ସହରବାସୀଙ୍କ ମହାନଗର ନିଗମ ସ୍ବପ୍ନ ପୂରଣ ହୋଇପାରୁନାହିଁ । ବିଜେପି ସରକାରକୁ ଆସିବା ପରେ ନିର୍ବାଚନ କରିବାକୁ ଆଶା ଦେଖାଇଥିଲେ । କିନ୍ତୁ ଏହା ଏ ଯାଏଁ ସ୍ପଷ୍ଟ ହୋଇପାରିଲାନି । ତେବେ ମନ୍ତ୍ରୀ କହିଛନ୍ତି ସରକାର ସବୁ ଦିଗକୁ ବିଚାର କରି ପଦକ୍ଷେପ ନେବେ । ଆକଳନ ପରେ ନିଷ୍ପତ୍ତି ନିଆଯିବ । ରଥଯାତ୍ରା ସମୟରେ ପୁରୀକୁ ପୌର ପରିଷଦରୁ ନଗର ନିଗମ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ଏବେ ବି ଆଗେଇପାରିନି ଫାଇଲ ।