କନକବ୍ୟୁରୋ : ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କଠାରୁ ପଛରେ ପଡ଼ିଛି। ୨୦୨୪ ଜୁଲାଇ ପହିଲାରୁ ଏହି ନୂଆ ଆଇନ୍‌ ସାରା ଦେଶରେ ଲାଗୁ ହୋଇଥିବା ବେଳେ ଏହାର ସଫଳ ରୂପାୟନ କ୍ଷେତ୍ରରେ ଓଡିଶା ର ସ୍ଥାନ ତଳକୁ ଖସିବାରେ ଲାଗିଛି । ୨୦୨୫ ନଭେମ୍ବରରେ ଜାତୀୟ ରୢାଙ୍କିଙ୍ଗରେ ଓଡ଼ିଶା ୧୪ ନମ୍ବରରେ ଥିବା ବେଳେ ଗତ ତିନି ମାସ ମଧ୍ୟରେ ୨୮ ସ୍ଥାନକୁ ଖସିଆସିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ୨୦୨୬ ଫେବ୍ରୁଆରିରେ ଜାତୀୟ ହାରାହାରି ମାର୍କ ୬୦.୩୫ ତୁଳନାରେ ଓଡ଼ିଶା ୮ପଏଣ୍ଟ ପଛରେ ରହିଛି। ତେବେ ଗୋଆ, ଆସାମ, ବିହାର ଓ ୟୁପି ଭଳି ରାଜ୍ୟ ଶୀର୍ଷରେ ଥିବାବେଳେ ମାତ୍ର ତିନି ମାସ ମଧ୍ୟରେ ଓଡ଼ିଶା ୧୪ ସ୍ଥାନରୁ ଉପରକୁ ଚଢ଼ିବା ବଦଳରେ ସିଧା ୧୪ ପାହାଚ ପଛକୁ ଖସି ୨୮ ସ୍ଥାନରେ ପହଞ୍ଚିଛି। 

Advertisment

ଆଇନର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପରୋକ୍ଷରେ ରାଜ୍ୟ ପୁଲିସର ଅପାରଗତାକୁ ପଦାରେ ପକାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରିତାକୁ ୪ଟି କ୍ଷେତ୍ରରେ ବିଭକ୍ତ କରି ରାଜ୍ୟଗୁଡ଼ିକର ମାନଦଣ୍ଡ ନିର୍ଦ୍ଧାରଣ କରି ମାର୍କ ପ୍ରଦାନ କରିଛି। ପ୍ରଶାସନିକ ସଂସ୍କାର ପାଇଁ ୨୦%, କ୍ଷେତ୍ରସ୍ତରରେ କାର୍ଯ୍ୟଦକ୍ଷତା ପାଇଁ ୪୫%, ଜ୍ଞାନକୌଶଳ ବ୍ୟବହାର ପାଇଁ ୨୫% ଏବଂ ନ୍ୟାୟପାଳିକା ସମେତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ୧୦% ମାର୍କ ନିର୍ଦ୍ଧାରଣ କରାଯାଇଛି। ତେବେ ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ଓଡ଼ିଶା ୨୦ରୁ ୨୦ ଓ ସମନ୍ୱୟ କ୍ଷେତ୍ରରେ ୧୦ରୁ ୧୦ ମାର୍କ ହାତେଇଛି। 

କ୍ଷେତ୍ର ସ୍ତରରେ କାର୍ଯ୍ୟଦକ୍ଷତା ଓ ଜ୍ଞାନକୌଶଳ ପ୍ରୟୋଗରେ ରାଜ୍ୟର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ। ରିପୋର୍ଟ ମୁତାବକ କ୍ଷେତ୍ରସ୍ତରରେ କାର୍ଯ୍ୟଦକ୍ଷତାରେ ୪୫ରୁ ଓଡ଼ିଶା ମାତ୍ର ୧୮.୫୬ ମାର୍କ ପାଇଛି। ହେଲେ ଗୋଆ, ଆସାମ, ରାଜସ୍ଥାନ, ମହାରାଷ୍ଟ୍ର, ବିହାର, ଗୁଜରାଟ ଭଳି ରାଜ୍ୟ ୨୫ ମାର୍କରୁ ଅଧିକ ପାଇଛନ୍ତି। ସେହିପରି ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କ୍ଷେତ୍ରରେ ଓଡ଼ିଶା ୨୫ ମାର୍କରୁ ମାତ୍ର ୪.୧୬ ମାର୍କ ପାଇଛି। ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମିଜୋରାମକୁ ଛାଡ଼ିଦେଲେ ବାକି ସମସ୍ତ ରାଜ୍ୟର ପ୍ରଦର୍ଶନ ଓଡ଼ିଶାଠାରୁ ଉନ୍ନତ। ଏମିତିକି ଆସାମ ୧୬.୧୪ ଓ ହରିୟାଣା ୧୫.୩୫ ମାର୍କ ରଖିଛନ୍ତି। ଜାତୀୟ ହାରାହାରି ମାର୍କ ୧୩.୪୨ ପ୍ରତିଶତ ରହିଥିବାବେଳେ ଓଡ଼ିଶା ୩ ଭାଗରୁ ଭାଗେ ପାଇନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ପୁଲିସ ପକ୍ଷରୁ ଭୁବନେଶ୍ବର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ୪ କୋଟି ଟଙ୍କା ବ୍ୟୟରେ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଗୃହମନ୍ତ୍ରୀ ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ବୁଲିବାର କାର୍ଯ୍ୟକ୍ରମ ଥିଲା।

କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରଦର୍ଶନୀସ୍ଥଳକୁ ଆସିଲେ ନାହିଁ। ଅନ୍ୟପଟେ ପୁଲିସ ଡିଜି ୱାଇବି ଖୁରାନିଆ କହିଛନ୍ତି ଯେ ବର୍ତ୍ତମାନ ଆମ ସ୍ଥାନ ୨୪ରେ ରହିଛି। ଦୁଇଟି କାରଣ ଯୋଗୁଁ ଆମେ ପଛରେ ରହିଛୁ। ପ୍ରଥମ କାରଣଟି ହେଲା  ମେଡିକାଲ୍‌ ଓ ଥାନା ମଧ୍ୟରେ ଇ-ତଥ୍ୟ ଆଦାନପ୍ରଦାନରେ ସମସ୍ୟା ରହିଛି। ବ୍ୟବଚ୍ଛେଦ ରିପୋର୍ଟ ହେଉ କି ଅନ୍ୟ ତଥ୍ୟକୁ ଆପ୍‌ ମାଧ୍ୟମରେ ତଦନ୍ତକାରୀ ଅଧିକାରୀ ସିଧାସଳଖ ପାଇବେ। ଏହା ଉପରେ କାର୍ଯ୍ୟ ଚାଲିଛି। ଆଉ ମାସକ ମଧ୍ୟରେ ଏହା ଶେଷ ହେବ। ସେହିପରି ନ୍ୟାୟପାଳିକା ସହ ଥାନା ମଧ୍ୟରେ ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ମଧ୍ୟ ଆମେ ପଛରେ ରହିଛୁ। ଏହା ଉପରେ ପଦକ୍ଷେପ ନିଆଯାଇଛି। ଆସନ୍ତା ୨-୩ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ। ଏହି ଦୁଇଟି କ୍ଷେତ୍ରରେ ଆମେ ପୂର୍ଣ୍ଣକ୍ଷମ ହେବା ପରେ ଆମ ରୢାଙ୍କ ଅନ୍ୟ ରାଜ୍ୟଠାରୁ ଆଗରେ ରହିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।