କନକ ବ୍ୟୁରୋ : ଦେଶରେ ବଜ୍ରପାତ ଯୋଗୁଁ ଅନେକ ପ୍ରାଣ ହରାଉଛନ୍ତି। ଆଉ ସର୍ବାଧିକ ମୃତ୍ୟୁ ଓଡ଼ିଶାରୁ ରହିଛି । ନବରଙ୍ଗପୁରରେ ମଧ୍ୟ ଆଜି ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି। ତେବେ ଓଡ଼ିଶାରେ କାହିଁକି ସର୍ବାଧିକ ବଜ୍ରପାତ ହେଉଛି ଏହାକୁ ନେଇ ପ୍ରଶ୍ନ ଉଠିଛି। ଆଉ ଏହାରି ଭିତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଖଣି ଅଞ୍ଚଳରେ ଅଧିକ ବଜ୍ରପାତ ହେଉଛି।

  • ଦେଶରେ ବଜ୍ରପାତରେ ୧ ନମ୍ୱର ଓଡ଼ିଶା
  • ଖଣି ଅଞ୍ଚଳରେ ବଜ୍ରପାତ ସର୍ବାଧିକ

ପ୍ରତିଦିନ ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ଯୋଗୁଁ ଯାଉଛି ଜୀବନ । ଗୋଟିଏ ପଟେ ଗୁରୁବାର ବିଧାନସଭାରେ ମନ୍ତ୍ରୀ ବଜ୍ରପାତକୁ ନେଇ ଉତ୍ତର ରଖୁଥିବା ବେଳେ, ଅନ୍ୟପଟେ ନବରଙ୍ଗପୁର ଉମରକୋଟରେ ବଜ୍ରପାତ ମାରିବା ଯୋଗୁଁ ଜଣଙ୍କ ଜୀବନ ଯାଇଛି। ଅନ୍ୟ ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସକାଳେ ଚାଷ ଜମିକୁ ଘାସ କାଟିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ହୋଇଥିବା ବଜ୍ରପାତକୁ ଦେଖିଲେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।

୩୦ଟି ଜିଲ୍ଲାରେ ପ୍ରତିବର୍ଷ ହାରାହାରି ୭ ଲକ୍ଷରୁ ଅଧିକ ବଜ୍ରପାତ ହେଉଛି । ଗତ ୫ ବର୍ଷରେ ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝରରେ ୨ ଲକ୍ଷରୁ ଅଧିକ ବଜ୍ରପାତ ହୋଇଛି । ଏହାଛଡା ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ବରଗଡ, ରାୟଗଡା, କଟକରେ ୧ ଲକ୍ଷରୁ ଅଧିକ ବଜ୍ରପାତ ହୋଇଛି। ଗତ ୫ ବର୍ଷରେ ଓଡ଼ିଶାରେ ମୋଟ୍ ୧୬୨୫ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।

ଗତ ୫ ବର୍ଷରେ ବଜ୍ରପାତ ଜନିତ ମୃତ୍ୟୁ

  • ୨୦୧୯-୨୦ରେ ୩୭୨
  • ୨୦୨୦-୨୧ରେ ୩୩୮
  • ୨୦୨୧-୨୨ରେ ୨୯୪
  • ୨୦୨୨-୨୩ରେ ୩୩୪
  • ୨୦୨୩-୨୪ରେ ୨୮୭

ଖଣି ଅଞ୍ଚଳରେ କାହିଁକି ବଜ୍ରପାତ ଅଧିକ ହେଉଛି ଏହାକୁ ନେଇ ସାରା ଓଡିଶା ଉତ୍ତର ଖୋଜୁଛି। ଏହି ସମୟରେ କିନ୍ତୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆକାଶରୁ ତୋଳିଆଣି କହିଲା ଭଳି କହିଛନ୍ତି, ଓଡ଼ିଶାରେ ଖଣି ଖାଦାନ ଅଞ୍ଚଳରେ ବଜ୍ରପାତ ସର୍ବାଧିକ। ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ତାଳଗଛ ଲଗାଇବା ଉପରେ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ରାଜସ୍ବ ବିଭାଗ ୭ କୋଟି ଟଙ୍କା ଖର୍ଚ୍ଚ କରିଛି। ତେବେ ବଜ୍ରପାତର କୌଣସି ସ୍ଥାୟୀ ପ୍ରତିକାର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। କେବଳ ମେସେଜ ଦ୍ବାରା ଲୋକଙ୍କୁ ସତର୍କ କରାଯାଉଛି।

କେବଳ ଖୋଲା ସ୍ଥାନ ନୁହେଁ, ସ୍କୁଲ ଗୁଡିକ ଉପରେ ମଧ୍ୟ ବଜ୍ରପାତର ବଡ ବିପଦ ରହିଛି। ଆମ ରାଜ୍ୟର ଅଧାରୁ ଅଧିକ ସରକାରୀ ସ୍କୁଲରେ ଲାଇଟନିଂ ଆରେଷ୍ଟର ଲଗାଯାଇନି । ତେଣୁ ବଜ୍ରପାତ ପ୍ରବଣ ଅଞ୍ଚଳରେ ବିପଦରେ ଅନେକ ସ୍କୁଲ।