କନକ ବ୍ୟୁରୋ: ନିଶା କବଳରେ ସାରା ରାଜ୍ୟ। ପ୍ରାୟ ପ୍ରତିଦିନ ପୁଲିସ ଦ୍ବାରା ଗିରଫ ହେଉଛନ୍ତି ନିଶା କାରବାର କରୁଥିବା ଅପରାଧୀ । ଅପରାଧୀଙ୍କ ପାଇଁ ଭୁସ୍ବର୍ଗ ପାଲଟିଛି ଓଡ଼ିଶା । ଏବେ ଦୁବାଇରୁ ଆସୁଛି ସିଗାରେଟ ଷ୍ଟିକ, ମେରିଜୁଆନା ଭଳି ଅନ୍ତର୍ଜାତୀୟ ନିଶା ।
ଇଏ ହେଉଛି ଭୁବନେଶ୍ବର ବିମାନବନ୍ଦରରୁ ଜବତ ୪୯୮୦୦ ସିଗାରେଟ ଷ୍ଟିକ୍ । ଏହା ଦୁବାଇରୁ ପଞ୍ଜାବ କିମ୍ବା ହରିୟାଣା ଚାଲାଣ ହେଉଥିଲା ବୋଲି ଅନୁମାନ କରାଯାଉଛି । ଜଣେ ପବୀ ବ୍ୟକ୍ତି ଏସବୁକୁ ନେଇ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଆସୁଥିବା ସୂଚନା ପାଇ ଗିରଫ କରାଯାଇଛି I ଏହି ସବୁ ସିଗାରେଟର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଜଣାପଡ଼ିଛି I କେବଳ ଏଇ ଗୋଟେ ଘଟଣା ନୁହେଁ କିଛି ଦିନ ତଳେ ବିମାନ ବନ୍ଦରରୁ ମିଳିଥିଲା ୩୦ କୋଟି ଟଙ୍କାର ମାରିଜୁଆନା । ଯେଉଁ ଘଟଣାରେ ୩ ଜଣ ଯୁବକ ଗିରଫ ହୋଇଥିଲେ। ହେଲେ ବ୍ୟାଙ୍କକକ୍ ରୁ ଭୁବନେଶ୍ୱର ଆଣୁଥିବା ଦଲାଲ ଆଉ ଗରାଖ କିନ୍ତୁ ଛୁ ମାରିଥିଲେ ।
ବେଆଇନ ନିଶା କାରବାରର ଚେର ସବୁଆଡେ ଲମ୍ବିଛି । ଗାଁ ଠୁ ସହର ସବୁଆଡେ ମାଡିଗଲାଣି ନିଶା କାରବାର । ନିଶା କାରବାର ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରହାର ଚଢ଼ାଉରୁ ଏହା ସ୍ପଷ୍ଟ ହେଉଛି । ପ୍ରତିଦିନ ଜବତ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସାଙ୍ଗକୁ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଗତକାଲି ଗୋଟିଏ ଦିନରେ ୨.୬୩କୋଟିର ବେଆଇନ ସାମଗ୍ରୀ ଜବତ ହୋଇଛି । ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୩୨୪ କେଜି ଗଞ୍ଜେଇ, ୬୪୭ ଗ୍ରାମ୍ ହେରୋଇନ୍ ଜବତ ହୋଇଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ନିଶା ବିରୋଧୀ କର୍ମୀ । ରାଜ୍ୟ ପୁଲିସ, ଅବକାରୀ ବିଭାଗ,ଏସଟିଏଫ, କଷ୍ଟମ ବିଭାଗ ଅପରେସନ କରୁଛନ୍ତି । କିନ୍ତୁ ବେଆଇନ ନିଶା କାରବାର ନିୟନ୍ତ୍ରଣ ହୋଇପାରୁନାହିଁ, ଯାହା ସମସ୍ତଙ୍କ ଟିନ୍ତା ବଢାଇଛି ।