ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା। କିନ୍ତୁ ପୂର୍ବର ବିଜେଡି ସରକାର ଏହି ଦାବିକୁ ଅଣଦେଖା କରି ଆସୁଥିଲା । ଏବେ ମୋହନ ସରକାର ପଛୁଆବର୍ଗଙ୍କୁ ସଂରକ୍ଷଣ ଦେଇ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବୁଧବାର ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଉଚ୍ଚଶିକ୍ଷାରେ SEBC ବର୍ଗର ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ସଂରକ୍ଷଣର ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ୧୧.୨୫% ଆସନ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । କେବଳ ସରକାରୀ ଚାକିରି କ୍ଷେତ୍ରରେ SEBC ବର୍ଗ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଇନଥିଲା । ସରକାର ବଦଳିବା ପରେ ସଂରକ୍ଷଣ ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ‘ଉଚ୍ଚଶିକ୍ଷାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଆଗଲା । ଅନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ଲାଗୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।’ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ବିଜେଡି ଓ କଂଗ୍ରେସ ଏ ବାବଦରେ ଛଳନା କରିଥିଲେ । ବର୍ତ୍ତମାନ ସରକାର ପ୍ରତିଶ୍ରୁତି ପୂରଣ କରିଛନ୍ତି ।’
ଉଚ୍ଚ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧୀ କିନ୍ତୁ ହଜମ କରିପାରିନାହାନ୍ତି । ବିଜେଡି କହିଛି, ‘ହାଲୁକା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ସରକାର ତୁରନ୍ତ ଇଞ୍ଜିନିୟରିଂ ଏବଂ ମେଡିକାଲ୍ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି ବିଜେଡି। କଂଗ୍ରେସ କହିଛି , ନୂଆ ସଂରକ୍ଷଣ ବ୍ୟବସ୍ଥା ଓବିସିଙ୍କ ପାଇଁ ପ୍ରତାରଣା । ୨୨ ଓ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଆନ୍ଦୋଳନ କରିବାକୁ ଦଳ ଘୋଷଣା କରିଛି । ବିରୋଧୀଙ୍କ କଥାକୁ ସମାଲୋଚନା କରିଛନ୍ତି ମନ୍ତ୍ରୀ। ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ ହେବା ପରେ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ୫୬ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟ ରାଜନୀତି, ସାମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି।