କନକ ବ୍ୟୁରୋ : ରାଜ୍ୟରେ ମହିଳା ଅସୁରକ୍ଷିତ ସ୍ଲୋଗାନ୍କୁ ବଳ ମିଳିଛି । ମହିଳା ଆୟୋଗ ଅଚଳ ହୋଇପଡ଼ିଥିବା ବେଳେ ଫକୀରମୋହନ କଲେଜ ଘଟଣାରେ ଉଠୁଛିପଡୁଛି ରାଜ୍ୟ । କମିସନ ନିକଟରେ ହଜାର ହଜାର ମାମଲା ଗଡୁଛି । ବାଲେଶ୍ବର ଫକୀରମୋହନ ଛାତ୍ରୀ ଅତ୍ମାହୁତି ଓ ବଳଙ୍ଗା ଘଟଣାରେ ସାରା ରାଜ୍ୟ ଜଳୁଛି । ରାଜ୍ୟ ସରକାର ଅକଳରେ ପଡିଛନ୍ତି । ସରକାରଙ୍କୁ ଘେରୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଏଭଳି ସମୟରେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଗଠିତ ରାଜ୍ୟ ମହିଳା କମିସନ କାମ କରୁନାହିଁ । ବାଲେଶ୍ବର ଫୀକର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଜାତୀୟ ମହିଳା କମିସନ ହସ୍ତକ୍ଷେପ କଲେ, କିନ୍ତୁ ରାଜ୍ୟ ମହିଳା କମିସନ କୋମାରେ ପଡିଛି । ଆଉଶୀଘ୍ର କମିସନ ନିଯୁକ୍ତି ପାଇ ଦାବି କରିଛି ବିଜେଡି ନ ହେଲେ ଆନ୍ଦୋଳନ ପାଇଁ ଧମକ ଦେଇଛି ।
୯ ମାସ ହେଲା ରାଜ୍ୟରେ ମହିଳା କମିସନ ଅଧ୍ୟକ୍ଷା ପଦ ଖାଲି ପଡିଛି । ନଭେମ୍ୱରରେ ତତ୍କାଳୀନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ପଦରୁ ହଟାଇଦେଇଥିଲେ ସରକାର । ଏହାସହ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ତୁରନ୍ତ ଏସବୁ ପଦବି ପୂରଣ ହେବ । କିନ୍ତୁ ଏହା ଏ ଯାଏଁ ହୋଇପାରିନି । ପରିଣାମ ହେଲା, ନ୍ୟାୟ ପାଉନାହାନ୍ତି ମହିଳା । ଆଉ ମହିଳା କମିସନଙ୍କ ପାଖରେ ମାଳ ମାଳ ମାମଲା ପଡିରହିଛି । ତଥ୍ୟ ଅନୁସାରେ, ଖୋର୍ଦ୍ଧାରେ ୪୫୦, କଟକରେ ୩୦୯, କେନ୍ଦ୍ରାପଡ଼ାରେ ୨୧୬, ପୁରୀରେ ୨୧୦ ମାମଲା କମିସନଙ୍କ କାର୍ଯ୍ୟାଳୟ ଫାଇଲ ଭିତରେ ରୁନ୍ଧି ହୋଇଗଲାଣି।
ନାରୀ ନିର୍ଯାତନାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି କଂଗ୍ରେସ । ରାଜରାସ୍ତାରେ ଗର୍ଜୁଛି, ଲୋକଙ୍କ ପାଖକୁ ଯାଇ ସରକାରଙ୍କୁ କାଠଗଡ଼ାକୁ ଟାଣିବା ଲାଗି ପ୍ରସ୍ତୁତ କରୁଛି ରଣନୀତି । ସେପଟେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ଶ୍ବେତପତ୍ର କହୁଛି, ମହିଳା ନିର୍ଯାତନା, ଦୁଷ୍କର୍ମ ଆଦି ଉପରମୁହାଁ । ଠିକ୍ ଏମିତି ସମୟରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ବୟାନ କରୁଛି ଯେ ରାଜ୍ୟରେ ଅଚଳ ହୋଇପଡ଼ିଛି ମହିଳା ଆୟୋଗ । ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ ଲାଗି ତିଆରି ହୋଇଥିବା ଆୟୋଗଙ୍କ ପାଖରେ ବନ୍ଧା ପଡ଼ିଛି ହଜାର ହଜାର ମହିଳାଙ୍କ ଭାଗ୍ୟ । ଖୋର୍ଦ୍ଧା ଜିଲ୍ଲାର ମାମଲା ସଂଖ୍ୟା ଅଧିକ । ଖୋର୍ଦ୍ଧାରେ ୪୫୦, କଟକରେ ୩୦୯, କେନ୍ଦ୍ରାପଡ଼ାରେ ୨୧୬, ପୁରୀରେ ୨୧୦ ମାମଲା କମିସନଙ୍କ କାର୍ଯ୍ୟାଳୟ ଫାଇଲ ଭିତରେ ରୁନ୍ଧି ହୋଇଗଲାଣି ।
ସରକାର ପରିବର୍ତ୍ତନ ପରେ ଏକ ରାଜନୈତିକ ନିଷ୍ପତ୍ତି କ୍ରମେ ସରକାର ଆୟୋଗର ସମସ୍ତଙ୍କୁ ବିଦା କରିଥିଲେ ବି ନୂଆ ନିଯୁକ୍ତି ଦେବାକୁ ଯେମିତି ଭୁଲିଯାଇଛନ୍ତି । ଗତ ଅକ୍ଟୋବରରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ତୁରନ୍ତ ଏସବୁ ପଦବି ପୂରଣ ହେବ। ହେଲେ ଏସବୁ ଗଣମାଧ୍ୟମ ରିପୋର୍ଟରେ ରହିଯାଇଛି । ପରିଣାମ ହେଲା, ନ୍ୟାୟ ପାଉନାହାନ୍ତି ମହିଳା । ଘରୋଇ ହିଂସା, ଯୌତୁକ ନିର୍ଯାତନା ଶୁଣାଣି ଓ ସମାଧାନ ପାଇଁ ନିଯୁକ୍ତ ହୋଇଛନ୍ତି ମହିଳା କମିସନ। କିନ୍ତୁ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିବଢ଼ି ଚାଲିଥିବାବେଳେ ସରକାର କାହିଁକି କମିସନ ନିଯୁକ୍ତି ଦେଉ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।