କନକ ବ୍ୟୁରୋ : ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ସରିବା ପରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଇଛି ଏହି ପ୍ରକ୍ରିୟା । ବିହାରରେ ଯେଉଁ ଫର୍ମୁଲାରେ ଭୋଟର ତାଲିକା ସଂଶୋଧନ ହୋଇଛି, ଓଡ଼ିଶାରେ ବି ସେହି ତରିକାରେ ଭୋଟର ତାଲିକା ସଂଶୋଧନ କରାଯିବ । ଅଧିକାରୀମାନେ ଘର ଘର ବୁଲି ଯାଞ୍ଚ କରିବେ । ଯାଞ୍ଚ ସମୟରେ ଲୋକଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ ସମେତ ସୂଚୀରେ ଥିବା ୧୧ଟି ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏକୁ ଦେଖାଇବାକୁ ପଡିବ।
ଯାଞ୍ଚ ପାଇଁ ଆବଶ୍ୟକ ପ୍ରମାଣପତ୍ର
- ଜନ୍ମ ପ୍ରମାଣପତ୍ର
- ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର ମାଟ୍ରିକ ସାର୍ଟିଫିକେଟ
- ପାସପୋର୍ଟ
- ସ୍ଥାୟୀ ଆବାସିକ ପ୍ରମାଣପତ୍ର
- ଜାତିଗତ ପ୍ରମାଣପତ୍ର
- ପେନସନ କିମ୍ବା ସରକାରଙ୍କ ପ୍ରଦତ୍ତ ଚାକିରି ପ୍ରମାଣପତ୍ର
- ବ୍ୟାଙ୍କ, ପୋଷ୍ଟ ଅଫିସ କର୍ମଚାରୀ ପରିଚୟପତ୍ର
- ଜଙ୍ଗଲ ଜମି ଅଧିକାର ପ୍ରମାଣପତ୍ର
- ପରିବାର ପଞ୍ଜିକରଣ ତାଲିକା
- ଜମି କିମ୍ବା ଘର ଆବଣ୍ଟନ ପ୍ରମାଣପତ୍ର
- ଜାତୀୟ ନାଗରିକତା ପ୍ରମାଣପତ୍ର
କିନ୍ତୁ ସବୁ କାର୍ଯ୍ୟରେ ଗ୍ରହଣୀୟ ବୋଲି କୁହାଯାଉଥିବା ଆଧାର କାର୍ଡକୁ ଭୋଟର ତାଲିକା ସଂଶୋଧନ ବେଳେ ଗ୍ରହଣ କରାଯିବ ନାହିଁ । ଭୋଟ ପରିଚୟପତ୍ର ଓ ରାସନକାର୍ଡ ବି ଚଳିବ ନାହିଁ । ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଆଧାର କାର୍ଡ, ଭୋଟର ପରିଚୟପତ୍ର ଓ ରାସନକାର୍ଡ ରହିଛି, କିନ୍ତୁ ଏହାକୁ ଗ୍ରହଣ କରାଯାଉନଥିବାରୁ ଅନେକ ଲୋକ ଅସୁବିଧାରେ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏପରିକି ନକଲି ଭୋଟରଙ୍କୁ କାଟୁ କାଟୁ ଅସଲି ଭୋଟର ବି ବାଦ ପଡିବାର ଆଶଙ୍କା କରାଯାଉଛି ।
ଭୋଟର ତାଲିକା ସଂଶୋଧନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ମାସରୁ ଆରମ୍ଭ ହେବ ଭୋଟର ସଂଶୋଧନ ତାଲିକା ପ୍ରସ୍ତୁତି । ଯେଉଁମାନେ ନକଲି ଭୋଟର ଥିବେ ସେମାନେ କଟିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେବା ପରେ ତେଜିଛି ରାଜନୀତି । ପ୍ରଶ୍ନ ଉଠୁଛି, ଇସିଆଇଙ୍କ ସୂଚୀରେ ଥିବା ପ୍ରମାଣପତ୍ର ନଥିଲେ ସାଧାରଣ ଲୋକ କଣ କରିବେ? ଗାଁ ଗହଳି, ଉପାନ୍ତ ଅଂଚଳର ଲୋକ ପ୍ରମାଣପତ୍ର ଦେଇପାରିବେ ତ? ସାଧାରଣ ଲୋକ ଭୋଟ ଦେବାର ଅଧିକାରରୁ ବଂଚିତ ହେବେ ନି କି? ତାଲିକାରେ ରହିବା ପାଇଁ ଆଉ କିଛି ବିକଳ୍ପ ଅଛି କି?