କନକବ୍ୟୁରୋ : ଘନ କୁହୁଡ଼ିରେ ଘେରି ହୋଇଯାଇଛି ସାରା ରାଜ୍ୟ । ସହରରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ସବୁଠି କୁହୁଡ଼ି କରୁଛି କଲବଲ । ଟୁଇନ୍‌ ସିଟିରେ କୁହୁଡ଼ି ଆସ୍ତରଣ ଏଭଳି ରହିଛି, ମାତ୍ର ୫ ମିଟର ଦୂରତାରୁ ବି ସକାଳୁ ଦୃଶ୍ୟମାନ ହେଉନି କିଛି । କହିବାକୁ ଗଲେ ଓଡ଼ିଶାକୁ କୁହୁଡ଼ି କବଜା କରି ନେଇଛି । ଏତେ ମାତ୍ରାରେ କୁହୁଡ଼ି ଘେରି ରହିଛି ଯେ ଲୋକମାନେ ସକାଳୁ ଗାଡ଼ିରେ ଯିବା ଆସିବା କରିବା ବି ଅସମ୍ଭବ । କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।   ସେହିପରି ନୂଆବର୍ଷରେ ଘନ କୁହୁଡି ପାଇଁ ପ୍ରଭାବିତ ହୋଇଛି ବିମାନ ଯାତ୍ରା। ଭୁବନେଶ୍ୱରରୁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଅନେକ ବିମାନ ବିଳମ୍ବିତ ହୋଇଛି ।

Advertisment

ଫଳରେ ବହୁ ବିମାନ ଯାତ୍ରୀ ବିମାନବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବକୁ ମିଳିଛି । ବିମାନ ଯାତ୍ରା ପ୍ରଭାବିତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ସେପଟେ କୁହୁଡି ପାଇଁ ଚିଲିକାରେ ଭସାପୋଲ ଯାତାୟାତ ବନ୍ଦ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଭସାପୋଲ ସେବା ବନ୍ଦ କରାଯାଇଛି । କୋଣାର୍କରେ ବି ନୂଆବର୍ଷ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । 

କୁହୁଡ଼ି ପାଇଁ ରାସ୍ତାରୁ କୋଣାର୍କ ମନ୍ଦିର ଦୃଶ୍ୟମାନ ହେଉନାହିଁ  କେନ୍ଦ୍ରାପଡା ଜିଲ୍ଲାରେ ବି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଦୃଶ୍ୟମାନ ହେଉଛି । ଫଳରେ ରାସ୍ତାରେ 10 ମିଟରରୁ ଅଧିକ ଆଗକୁ ଦେଖିବା ମୁସ୍କିଲ ହୋଇପଡୁଛି ବୋଲି କହିଛନ୍ତି ଗାଡି ଚାଳକ ଓ ପଥଚାରୀମାନେ । ରାସ୍ତାରେ ଯାତାୟାତ କରୁଥିବା ଗାଡି ଗୁଡିକ ସାବଧାନତାର ସହ ଯାତାୟାତ କରୁଥିବାର ଦେଖିବାକୁ ମିଳିଛି । ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଗତକିଛି ଦିନ ହେବ ଲାଗିରହିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ସକାଳ ସକାଳୁ କୁହୁଡି ମାତ୍ର ଏତେ ଅଧୀକ ରହୁଛି ଯେ ଦିନ 10ଟା ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳିଛି ।