କନକ ବ୍ୟୁରୋ: ମାଛ ଭିତରେ ସବୁଠାରୁ ଦାମୀ ମାଛ ହେଉଛି ଇଲିସି। ଆଉ ଏହି ଇଲିସିର ଚାହିଦା ଓଡ଼ିଶାରେ ନୁହେଁ, ପଶ୍ଚିମବଙ୍ଗରେ ଅଧିକ ଦେଖିବାକୁ ମିଳିଛି। ଦୀଘା ମାଛ ବଜାରରେ ଏବେ ଇଲିସି ମାଛ ଗ୍ରାହକଙ୍କୁ ଖୁବ୍ ଆକର୍ଷିତ କରୁଛି। ବାଲେଶ୍ବରରେ ଉତ୍ପାଦନ ହେଉଥିବା ଏହି ଇଲିସିକୁ ନେବା ପାଇଁ ଉପଯୁକ୍ତ ବଜାର ନଥିବାରୁ ବ୍ୟବସାୟୀମାନେ ଦୀଘାକୁ ବାଛିଛନ୍ତି।
ଭଳିକି ଭଳି ମାଛ। ଦେଖିଲେ ଆସିଯାଉଛି ଲୋଭ। ହେଲେ ଇଲିଶି ଉପରେ ସମସ୍ତଙ୍କ ଆଖି। ପଶ୍ଚିମବଙ୍ଗର ଦୀଘା ବଜାରରେ ଏବେ ଖୁବ୍ ଚାହିଦା ବାଲେଶ୍ବରର ଇଲିସି ମାଛ। ବାଲେଶ୍ବରରେ ଇଲିଶି ବିକ୍ରିର ବିଶେଷ ସୁବିଧା ନଥିବାରୁ ଏବେ ଦୀଘା ମୁହାଁ ହେଉଛନ୍ତି ମାଛ ବ୍ୟବସାୟ। ଆଉ ପଶ୍ଚିମବଙ୍ଗରେ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଛି ଇଲିଶି।
ଓଡ଼ିଶାରେ ଛୋଟ ଇଲିସିର ଦାମ କିଲୋ ପିଛା ୮ଶହ ଟଙ୍କା ରହିଥିବା ବେଳେ ବଡ଼ ଇଲିସିର ଦାମ ୨ହଜାର ଟଙ୍କା ରହିଛି। ସେହି ତୁଳନାରେ ଦୀଘା ବଜାରରେ ଇଲିସିର ଦାମଓଡ଼ିଶା ତୁଳନାରେ ବହୁତ ଅଧିକ ଥିବା କୁହାଯାଉଛି। ଆଉ ବ୍ୟବସାୟୀମାନେ ଭଲ ଦାମରେ ବିକ୍ରି କରି ବେଶ୍ ଖୁସି ଥିବା କହିଛନ୍ତି।
କେବଳ ଇଲିସି ନୁହେଁ, ଓଡ଼ିଶାରୁ ବିଭିନ୍ନ ଭେରାଇଟିର ମାଛ ଦୀଘା ବଜାରରେ ବିକ୍ରି ହେଉଛି। ଓଡିଶାରେ ମାଛ ବିକ୍ରି ପାଇଁ ଭଲ ବଜାର ନ ଥିବା ବେଳେ ମାଛ ବେପାରୀ ସଂଖ୍ୟା ମଧ୍ୟ ବହୁତ କମ। ଓଡ଼ିଶାର ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ର ମାନଙ୍କରେ ଏକାଥରକେ ଅଧିକ ସଂଖ୍ୟାରେ ଟ୍ରଲର ଲାଗିଥାଏ। ହେଲେ ମାଛ କିଣିବା ପାଇଁ ଆବଶ୍ୟକ ବ୍ୟବସାୟୀ ମିଳନ୍ତି ନାହିଁ। ଯାହା ଫଳରେ ମାଲିକ ମାନଙ୍କୁ କମ ଦରରେ ମାଛ ବିକ୍ରି କରିବାକୁ ପଡ଼ିଥାଏ। ଏଥିପାଇଁ ବଡ଼ ବଡ଼ ଟ୍ରଲର ମାଲିକମାନେ ଦିଘା ଆସି ବ୍ୟବସାୟ କରୁଛନ୍ତି।
ଯଦି ସରକାର ଏଥିପ୍ରତି ଧ୍ୟାନ ନଦେବେ, ତାହେଲେ ଆଗାମୀ ଦିନରେ ଅନେକ ମାଛ ବ୍ୟବସାୟୀ ପଶ୍ଚିମବଙ୍ଗ ମୁହାଁ ହୋଇପାରନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)